MIL UNIT 02 SUBJECTIVE
BACK
୧. (କ) ପଠିତ କବିତାରୁ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର ।
କିମ୍ବା,
ରାବଣ ଥିଲା ଜଣେ ସଫଳ କୂଟନୀତିଜ୍ଞ- ପଠିତ କବିତା ଆଧାରରେ ବର୍ଣ୍ଣନା କର ।
କିମ୍ବା,
“ବିସ୍ମଇ ନିଃଶ୍ୱାସ ତେଜି ବରୁଣେ ପ୍ରସନ୍ନେ ବିନାଶନରେ ଶୟନେ ସେ ଦର୍ଭ ଶୟନେ ଯେ ।”
(ଖ) ପ୍ରାୟ ୫୦ଟି ଶବ୍ଦରେ ସପ୍ରସଙ୍ଗ ସରଳାର୍ଥ ଲେଖ ।
ଏହାର ଶେଷ ଫଳ କଣ ହେବ, ତାହା ଭବିଷ୍ୟତ ଗର୍ତ୍ତରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି ।
୧. (କ) ପଠିତ କବିତାରୁ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର ।
କିମ୍ବା,
ରାବଣ ଥିଲା ଜଣେ ସଫଳ କୂଟନୀତିଜ୍ଞ- ପଠିତ କବିତା ଆଧାରରେ ବର୍ଣ୍ଣନା କର ।
ଉ: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାରସ୍ୱତ ଜଗତର ମୁକୁଟବିହୀନ ସମ୍ରାଟ ଆସନରେ ଅଧିଷ୍ଠିତ । ରୀତିଯୁଗୀୟ କାବ୍ୟଧାରାର ସର୍ବଶ୍ରେଷ୍ଠ ବିନ୍ଧାଣୀ, ଯୁଗ ପ୍ରବର୍ତ୍ତକ କବିଙ୍କର ବିଶିଷ୍ଟ ରାମକାବ୍ୟ ‘ବ’ ଆଦ୍ୟ ଅକ୍ଷର ନିୟମରେ ରଚିତ ‘ବୈଦେହୀଶ ବିଳାସ’ର ୪୦ତମ ଛାନ୍ଦରୁ ସଂଗୃହୀତ ଆଲୋଚ୍ୟ କବିତା ‘ରାଘବଙ୍କ ଯାତ୍ରାନୁକୁଳ’ରେ ସେ ରଘୁକୁଳ ତିଳକ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ମାତା ଜାନକୀଙ୍କୁ ରାବଣ କବଳରୁ ଉଦ୍ଧାର ନିମନ୍ତେ ପ୍ରୟାସ ସହ ରାବଣର କୂଟନୀତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ରାଘବଙ୍କ ପ୍ରାଣପ୍ରିୟା ପତ୍ନୀ ଜାନକୀ ଲଙ୍କାଧିତି ରାବଣ ଦ୍ୱାରା ଅପହୃତା ହେବା ପରେ ସେ ଦୁଃଖ ଓ ଅନୁଶୋଚନାରେ ଭାଙ୍ଗି ପଡ଼ିଛନ୍ତି । ସୀତାଙ୍କ ଉଦ୍ଧାର ପାଇଁ ରାମଚନ୍ଦ୍ର ନିଜର ବନ୍ଧୁ ସୁଗ୍ରୀବ ସମେତ ସମସ୍ତ ବାନରସେନାଙ୍କ ସହାୟତାରେ ସମୁଦ୍ରରେ ସେତୁବନ୍ଧ ବାନ୍ଧିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଅବଗତ ହେଲା ପରେ ରାବଣ ବ୍ୟସ୍ତବିବ୍ରତ ହୋଇପଡ଼ିଛି । ଅନ୍ୟ ଏକ ଘଟଣାକ୍ରମରେ ତାର କନିଷ୍ଠଭ୍ରାତା ବିଭୀଷଣ ଜ୍ୟେଷ୍ଠଭ୍ରାତାଙ୍କର ଅନ୍ୟାୟ କାର୍ଯ୍ୟର ବିରୋଧ କରି ରାମଚନ୍ଦ୍ରଙ୍କର ଶରଣାପନ୍ନ ହୋଇଛନ୍ତି । ପ୍ରବୀଣ କୂଟନୀତିଜ୍ଞ ରାବଣ ବୁଝିାରିଛି ବିଭୀଷଣଙ୍କୁ ଫେରାଇ ନଆଣିଲେ ତାର ବିଜୟର ପଥରୁଦ୍ଧ ହୋଇଯିବ । ଏଣୁ ସେ ତାଙ୍କୁ ନାନାଭାବରେ ପ୍ରଲୁବ୍ଧ କରିବାକୁ ଉଦ୍ୟମ ଆରମ୍ଭ କରିଛି । ନିଜର ଦୁଇ ମନ୍ତ୍ରୀ ଶୁକ ସାରଣ ହାତରେ ରାବଣ ବିଭୀଷଣଙ୍କ ନିକଟକୁ ବାର୍ତ୍ତା ଦେଇ କହିଛି ଯେ ଜ୍ୟେଷ୍ଠଭ୍ରାତା ପିତୃତୁଲ୍ୟ ହୋଇଥିବାରୁ ତାଙ୍କର ଭୁଲ୍ ଧରିବା ଅନୁଚିତ୍ । ଏତଦ୍ବ୍ୟତୀତ ସେ ଉଚ୍ଚକୁଳ ସମ୍ଭୁତ ହୋଇ ଭସ୍ମ ବିଲେପିତ ବନଚାରୀ ଶ୍ରୀରାମଙ୍କ ଶରଣାପନ୍ନ ହେବା ଠିକ୍ ନୁହେଁ କବିଙ୍କ ଭାଷାରେ, ବିଭୂତିକି ଭୁଞ୍ଜୁଥିଲୁ ବିଭୂତିଭୁଷଣେ ବଡ଼କୂଳେ ଜନମି ଶରଣେ କି କାରଣେ ଯେ ? ପୁନଶ୍ଚ ରାବଣ ଜାଣିଥିଲା ଯେ ଶ୍ରୀରାମଚନ୍ଦ୍ରଙ୍କୁ ସୀତାଙ୍କ ଉଦ୍ଧାର କାର୍ଯ୍ୟରେ ମହାବଳୀ ସୁଗ୍ରୀବଙ୍କ ନେତୃତ୍ୱରେ ହନୁମାନ, ଅଙ୍ଗଦ ପ୍ରଭୃତି ଯୋଦ୍ଧା ସହାୟତା କରୁଛନ୍ତି । ତନ୍ମଧ୍ୟରୁ ଅତୁଳ ବଳଶାଳୀ ଅଙ୍ଗଦ, କିସ୍କିନ୍ଧାପତି ବାଳୀଙ୍କର ପୁତ୍ର ଅଟନ୍ତି ଯାହାଙ୍କୁ କି ରାଘବ ନିଧନ କରିଥିଲେ । ତେଣୁ ନିଜର କୂଟନୀତି ପ୍ରୟୋଗ କରି ରାବଣ ଅଙ୍ଗଦଙ୍କୁ କହିଛି ଯେ ପିତାଶତ୍ରୁଙ୍କୁ ବିରୋଧ କରି ପିତୃବ୍ୟଙ୍କ ସହ ଶ୍ରୀରାମଙ୍କୁ ପରିତ୍ୟାଗ କର ଓ ନିଜର ସୈନ୍ୟ ବାହୁଡ଼ାଇ ନିଅ । ରାଜା ହିସାବରେ କୂଟନୀତିରେ ଧୁରନ୍ଧର ବିଂଶତିକର ନିଜ ଦୂତ ଦ୍ୱୟଙ୍କ ମାଧ୍ୟମରେ ମଧ୍ୟ ରାମଙ୍କର ସୈନ୍ୟ ସଂଖ୍ୟା କଳିବା ସହିତ ସିନ୍ଧୁାର ପାଇଁ ରାଘବଙ୍କ ପ୍ରଚେଷ୍ଟା ସମ୍ପର୍କରେ ବୁଝିନେଇଛି । କବିଙ୍କ ବର୍ଣ୍ଣନାରେ ରାବଣ ଚରିତ୍ରର ଭିନ୍ନ ଏକ ଦିଗ ଉନ୍ମୋଚିତ ହୋଇଛି ।
(ଖ) ପ୍ରାୟ ୫୦ଟି ଶବ୍ଦରେ
ସପ୍ରସଙ୍ଗ ସରଳାର୍ଥ ଲେଖ ।
“ବାଜିଥିଲେ
ଚୂର୍ଣ୍ଣ ବା ପାତାଳେ ଭଜିଥିବ ବିନ୍ଧ୍ୟଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ”
ଉ:-“ବାଜିଥିଲେ ............................... ଦଇବ ଯେ” । ଶଂସିତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ବୈଦେହୀଶ ବିଳାସ’ କାବ୍ୟର ଚାଳିଶ ଛାନ୍ଦ ଅନ୍ତର୍ଗତ ‘ରାଘବଙ୍କ ଯାତ୍ରାନୁକୂଳ’ ଶୀର୍ଷକ କବିତାରୁ ଉଦ୍ଧୃତ । ଆଲୋଚ୍ୟ ଅଂଶରେ ରାବଣ ଦ୍ୱାରା ପ୍ରେରିତ ଦୂତଦ୍ୱୟ ଶୁକ-ସାରଣଙ୍କ ଠାରୁ ରାବଣର ବାର୍ତ୍ତା ଶ୍ରବଣ ପରେ ବାଳୀ ପୁତ୍ର ଅଙ୍ଗଦ କିରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସେ ସଂପର୍କରେ ବର୍ଣ୍ଣନା କରିଛନ୍ତି ।
ମାତା ଜାନକୀଙ୍କ ଅପହରଣର ଦୃଢ଼ ପ୍ରତିବାଦ କରି ରାମଣର ଭ୍ରାତା ବିଭୀଷଣ ଲଙ୍କା ପରିତ୍ୟାଗ କରି ପ୍ରଭୁ ଶ୍ରୀରାମଙ୍କ ଶରଣାପନ୍ନ ହୋଇଛନ୍ତି । କୂଟନୀତି ବିଶାରଦ ଲଙ୍କାଧିତି ରାବଣ ନାନା ଭାବରେ ପ୍ରଲୋଭନ ଦେଇ ବିଭୀଷଣଙ୍କୁ ଫେରାଇ ଆଣିବା ସହ ଯୁଦ୍ଧର ସ୍ଥିତି ପରଖିବା ପାଇଁ ଶୁକ-ସାରଣ ନାମରେ ନିଜର ଦୁଇ ମନ୍ତ୍ରୀଙ୍କୁ ରାମଙ୍କ ଶିବିରକୁ ପ୍ରେରଣ କରିଛି । ଏଥି ସହିତ ପ୍ରଚଣ୍ଡ ବଳଶାଳୀ ବାଳୀ ପୁତ୍ର ଅଙ୍ଗଦଙ୍କ ନିକଟକୁ ଏକ ବାର୍ତ୍ତା ଦେଇ ନିଜ ପିତାଙ୍କ ହତ୍ୟାକାରୀ ରାମଙ୍କୁ ପରିତ୍ୟାଗ କରିବା ପାଇଁ ଉପଦେଶ ଦେଇଛି । ମାତ୍ର ଉକ୍ତ ବାର୍ତ୍ତା ଶ୍ରବଣ କରି କ୍ରୋଧିତ ଅଙ୍ଗଦ ଶୂନ୍ୟକୁ ଏକ ବଜ୍ରସମ ଚାପୁଡ଼ା ପ୍ରହାର କରିଛନ୍ତି । ଏହି ପ୍ରହାର ଏତେ ଭୟଙ୍କର ଥିଲା ଯେ ବିନ୍ଧ୍ୟ ପର୍ବତରେ ବାଜିଥିଲେ ତାହା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଥାନ୍ତା । ନଚେତ୍ ରସାତଳଗାମୀ ହୋଇଥାନ୍ତା । ଅନୁରୂପ ଅବସ୍ଥା ଶୁକ-ସାରଣଙ୍କର ମଧ୍ୟ ହବାର ଅସମ୍ଭବ ନଥିଲା । ନିଜ ଗତିପଥରେ କଣ୍ଟା ସାଜିଥିବା ବିନ୍ଧ୍ୟ ପର୍ବତର ଏପରି ଦୁର୍ଗତି ହୁଏତ ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ କରିଥାନ୍ତା । ମାତ୍ର ଦୈବ କୃପାରୁ ଦୂତଦ୍ୱୟ ନିଜର ଜୀବନ ରକ୍ଷା କରି ପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ ହୋଇ ରାବଣ ନିକଟରେ ତାହା ପ୍ରକାଶ କରିଛନ୍ତି । ଅଙ୍ଗଦଙ୍କ ପରାକ୍ରମ ସଂପର୍କରେ କବିଙ୍କ ବର୍ଣ୍ଣନା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି ।
“ବିସ୍ମଇ ନିଃଶ୍ୱାସ ତେଜି ବରୁଣେ ପ୍ରସନ୍ନେ ବିନାଶନରେ ଶୟନେ ସେ ଦର୍ଭ ଶୟନେ ଯେ ।”
ଉ:- ବିସ୍ମଇ ନିଃଶ୍ୱାସ ..................... ଦର୍ଭ ଶୟନେ ଯେ । ପ୍ରୋକ୍ତ ପଦ୍ୟାଂଶଟି କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ରଚିତ ‘ବୈଦେହୀଶ ବିଳାସ’ କାବ୍ୟାନ୍ତର୍ଗତ ‘ରାଘବଙ୍କ ଲଙ୍କାଯାତ୍ରାନୁକୂଳ’ ଶୀର୍ଷକ କବିତାରୁ ସଂଗୃହୀତ । ଆଲୋଚ୍ୟ ପ୍ରସଙ୍ଗରେ କବି ସମୁଦ୍ରରେ ସେତୁ ନିର୍ମାଣରେ ସହାୟତା ନିମନ୍ତେ ରାମଚନ୍ଦ୍ରଙ୍କ ଜଳାଧି ତି ବରୁଣଙ୍କ ଉପାସନା ସଂପର୍କରେ ବର୍ଣ୍ଣନା କରିଛନ୍ତି । ଲଙ୍କାଧିତି ରାବଣ ଦ୍ୱାରା ଅପହୃତା ମାତା ଜାନକୀଙ୍କୁ ଉଦ୍ଧାର ନିମନ୍ତେ ସମୁଦ୍ରରେ ବନ୍ଧ ବାନ୍ଧିବା ଏକାନ୍ତ ଆବଶ୍ୟକ ଥିଲା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଏଥିରେ ସହାୟତା ପ୍ରଦାନ କରିଥିଲେ ସୁଗ୍ରୀବଙ୍କ ସମେତ ସମସ୍ତ ବାନରସେନା । ମାତ୍ର ସମୁଦ୍ରରେ ଯେତେ ପର୍ବତ ସଦୃଶ ପ୍ରସ୍ତରଖଣ୍ଡମାନ ବାନର ବାହିନୀ ନିକ୍ଷେପ କଲେ ସେସବୁ ଜଳର ଅତଳଗର୍ଭରେ କେଉଁଆଡ଼େ ଲୀନ ହୋଇଗଲା କେବଳ ଫି ଫି କାର ଶବ୍ଦ ସୃଷ୍ଟି ହେଲା । ସାଗରର ଏତାଦୃଶ ଆଚରଣରେ ବିସ୍ମୟ ପ୍ରକାଶ କଲେ ରାଘବ । ସେ ବୁଝିପାରିଲେ ଜଳର ଦେବତା ବରୁଣଦେବଙ୍କୁ ସନ୍ତୁଷ୍ଟ ନକରି ସେତୁ ବାନ୍ଧିବା ଅସମ୍ଭବ । ଏଣୁ ତାଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର ଅନାହାରରେ ରହି କୁଶ ଶଯ୍ୟାରେ ଶୟନପୂର୍ବକ କଠୋର ଉପାସନା ଆରମ୍ଭ କଲେ । ଶେଷରେ ବରୁଣଦେବ ପ୍ରସନ୍ନ ହେଲେ ଓ ସେତୁ ନିର୍ମାଣ ସମ୍ପନ୍ନ ହେଲା । ସ୍ୱୟଂ ଜଗତକର୍ତ୍ତା ହୋଇ ମଧ୍ୟ ରାମଚନ୍ଦ୍ରଙ୍କ ଏତାଦୃଶ ନମ୍ର ଆଚରଣ ସଂସାର ପାଇଁ ଉଦାହରଣ ସୃଷ୍ଟି କରିବ ।
୨. (କ) ପ୍ରାୟ ୧୨୦ଟି
ଶବ୍ଦରେ ଉତ୍ତର ଲେଖ ।
‘ସଭ୍ୟତା ବିଜ୍ଞାନ ପରସ୍ପର
ଆଶ୍ରୟୀ’- ପଠିତ ପ୍ରବନ୍ଧ ଅବଲମ୍ବନରେ ଏହାର ଯଥାର୍ଥତା ପ୍ରତିାଦନ କର ।
କିମ୍ବା,
ସଭ୍ୟତାର ବିକାଶରେ ବିଜ୍ଞାନର
ଅବଦାନ ସଂପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ଆଲୋଚନା କର ।
ଉ: ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ମହାନ୍ ସ୍ରଷ୍ଟା ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ତଥା ଶିକ୍ଷାବିତ୍ ଡ. ବଂଶୀଧର ସାମନ୍ତରାୟ ସାରସ୍ୱତ ଜଗତର ଏକ ସୁପରିଚିତ ପ୍ରତିଭା । ଉତ୍କଳ ସାହିତ୍ୟର ପୃଷ୍ଠାମଣ୍ଡନ କରିଥିବା ତାଙ୍କ ରଚିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରେ ସେ ମାନବ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନ ସଂପର୍କରେ ଆଲୋଚନା କରିଛନ୍ତି । ସଭ୍ୟତାର ଅଗ୍ରଗତି ପଥରେ ବିଜ୍ଞାନ ଯେ ଏକ ଗୁରୁତ୍ୱୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏହା ନିଃସନ୍ଦେହରେ କୁହାଯାଇପାରେ । ଆଧୁନିକ ସଭ୍ୟତାର ଲକ୍ଷ୍ୟ ସ୍ଥଳରେ ପହଞ୍ôଚବା ପାଇଁ ଆମେ ବିଜ୍ଞାନକୁ ହିଁ ଅବଲମ୍ବନ କରିଥାଉ । ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ କରିବା । ସଭ୍ୟତା ହେଉଛି ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ତଥା ଜ୍ଞାନ ସାଧନା ସମନ୍ୱିତ ରୂପ । କାହିଁ କେତେ ଯୁଗରୁ ମାନବ ସଭ୍ୟତାର ବିକାଶ ପାଇଁ ବିଜ୍ଞାନ ପଥ ପ୍ରଦର୍ଶକ ସାଜିଛି । ବିଜ୍ଞାନ ବଳରେ ହିଁ ମନୁଷ୍ୟ ସୋପାନ ପରେ ସୋପାନ ଅତିକ୍ରମ କରି ଆଧୁନିକ ସଭ୍ୟତାର ଶିଖରରେ ପହଞ୍ଚିପାରିଛି । ଅବଶ୍ୟ ବିଭିନ୍ନ କାଳରେ ଓ ବିଭିନ୍ନ ଯୁଗରେ ସଭ୍ୟତାର ଆଦର୍ଶ ଭିନ୍ନ ଭିନ୍ନ ଥିଲା । ଯେପରିକି ଭୋଗ ପ୍ରାଚୀନ ଓ ଗ୍ରୀସୀୟ ସଭ୍ୟତାର ଆଦର୍ଶ ଥିବା ବେଳେ; ତ୍ୟାଗ ଓ ଆତ୍ମସଂଯମ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା । ଭାରତୀୟ ସଭ୍ୟତାର ଆଦର୍ଶ ଏହାର ଆଧ୍ୟାତ୍ମିକତା । ଅନ୍ୟ ପକ୍ଷରେ ବିଜ୍ଞାନର ସଂଜ୍ଞା ନିରୂଣ କରିବାକୁ ଯାଇ ପ୍ରାବନ୍ଧିକମାନେ କହିଛନ୍ତି ଯେ କୌଣସି ବିଷୟରେ ସମ୍ୟକ ଜ୍ଞାନକୁ ବିଜ୍ଞାନ କୁହାଯାଏ । ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବନ୍ଧ, ଶୃଙ୍ଖଳିତ ଜ୍ଞାନକୁ ବିଜ୍ଞାନ ରୂପେ ବ୍ୟବହାର କରାଯାଏ । ଏହି ବିଜ୍ଞାନର ଦୁଇଟି ବିଭାଗ ଯଥା ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ବଳରେ ବଳୀୟାନ ମାନବ ଆଲୋକ, ଉତ୍ତାପ, ବିଦ୍ୟୁତ, ଶବ୍ଦ ପ୍ରଭୃତି ବିଭିନ୍ନ ଜଟିଳ ତତ୍ତ୍ୱର ଅନୁସନ୍ଧାନରେ ସଫଳ ହେବା ସହିତ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ରେଡ଼ିଓ, ଟେଲିଭିଜନ୍, ଟେଲିଫୋନ୍ ଆଦି ନାନା ଉପକରଣ ମାଧ୍ୟମରେ ବୈଷୟିକ ସୁଖ ଲାଭରେ ସକ୍ଷମ ହୋଇପାରିଛି । ଲେଖକଙ୍କ ଭାଷାରେ, ବିରାଟ ସାଗର ଆଜି ଦୁର୍ଲଙ୍ଘ୍ୟ ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇରହିନାହିଁ । ପୁନଶ୍ଚ ଜଡ଼ବିଜ୍ଞାନ ଓ ଜୀବ ବିଜ୍ଞାନ ସଂଯୋଗରୁ ସୃଷ୍ଟ ଡାକ୍ତରୀ ବିଦ୍ୟା, କୃଷିବିଜ୍ଞାନ, ପୃଥିବୀ ତତ୍ତ୍ୱ, ଗ୍ରହନକ୍ଷତ୍ରଙ୍କ ଗତିବିଧି ଜ୍ୟୋତିଷ ଶାସ୍ତ୍ର, ମନସ୍ତତ୍ତ୍ୱ ଆଦି ମାନବ ସଭ୍ୟତାର ବିକାଶ ଲାଗି ସତତ ଚେଷ୍ଟିତ । ଅବଶ୍ୟ ଆଧୁନିକ ସଭ୍ୟତାର ବିପକ୍ଷବାଦୀଙ୍କ ମତରେ ବିଜ୍ଞାନ ମାନବର ଈଶ୍ୱର ବିଶ୍ୱାସ କମାଇଦେଇ ତାକୁ ବିପଥଗାମୀ କରିବା ସଙ୍ଗେ ସଙ୍ଗେ ମାରାତ୍ମକ ଗ୍ୟାସ ଓ ବିସ୍ଫୋରକ ଗ୍ୟାସ ଉଦ୍ଭାବନ କରି ପୃଥିବୀକୁ ଧ୍ୱଂସମୁଖକୁ ଠେଲି ଦେଉଛି; ମାତ୍ର ଏହା ଅନସ୍ୱୀକାର୍ଯ୍ୟ ଯେ ବିଜ୍ଞାନ ଓ ସଭ୍ୟତା ପରସ୍ପର ଆଶ୍ରୟୀ ଓ ବିଜ୍ଞାନ ହିଁ ଆଶାତୀତ ଭାବେ ମାନବକୁ ସଭ୍ୟତାର ଅନ୍ୱେଷଣର ବାଟ ଦେଖାଇ ଆସିଛି ।
(ଖ) ପ୍ରାୟ ୫୦ଟି ଶବ୍ଦରେ ସପ୍ରସଙ୍ଗ ସରଳାର୍ଥ ଲେଖ । ଏହାର ଶେଷ ଫଳ କଣ ହେବ, ତାହା ଭବିଷ୍ୟତ ଗର୍ତ୍ତରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି ।
ଏହାର ଶେଷ ଫଳ କଣ ହେବ, ତାହା ଭବିଷ୍ୟତ ଗର୍ତ୍ତରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି ।
ଉ. ଏହାର ଶେଷ ଫଳ............ ପରୀକ୍ଷଣ ହିଁ ଚାଲିଛି । ପ୍ରୋକ୍ତ ଗଦ୍ୟାଂଶଟି ବିଶିଷ୍ଟ ଶିକ୍ଷାବିତ୍ ଡ. ବଂଶୀଧର ସାମନ୍ତରାୟଙ୍କ ରଚିତ ସଭ୍ୟତା ଓ ବିଜ୍ଞାନ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଆଲୋଚ୍ୟ ଅଂଶରେ ମନୁଷ୍ୟ କିରି ସଭ୍ୟତାର ବିକାଶ ପାଇଁ ନିରନ୍ତର ଚେଷ୍ଟିତ ଓ ଏଥିରେ ବିଜ୍ଞାନର ଅବଦାନ ସଂପର୍କରେ ଆଲୋକପାତ କରିଛନ୍ତି । ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ ଅଧୁନା ପୃଥିବୀରେ ସଭ୍ୟତାର ଆଦର୍ଶ ରୂପେ ପରିଗଣିତ । ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ସହ ସୃଷ୍ଟିର ରହସ୍ୟଭେଦ ଓ ସେମାନଙ୍କ ମୂଳରେ କେଉଁ ମହାଶକ୍ତି ନିହିତ ଅଛି ତାହା ଜାଣିବା ପାଇଁ ମନୁଷ୍ୟ ବିଜ୍ଞାନକୁ ହିଁ ଅବଲମ୍ବନ କରିଆସିଛି । ମାତ୍ର ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଆଦର୍ଶର ଉଚ୍ଚତମ ସୋପାନରେ ପହଞ୍ôଚ ପାରିନାହୁଁ । ଏଥି ନିମିତ୍ତ ବହୁ ସମୟର ଆବଶ୍ୟକତା ରହିଛି । ଏହି ଉନ୍ନତିର ରୂରେଖ ଭବିଷ୍ୟତ ଉପରେ ନିର୍ଭର କରେ । ବର୍ତ୍ତମାନ କେବଳ ପରୀକ୍ଷା ନିରୀକ୍ଷା ଚାଲିଛି । ଶେଷ ଫଳ କଣ ହେବ ତାହା ସମସ୍ତଙ୍କୁ ଅଗୋଚର । ସଭ୍ୟତାର ଅଗ୍ରଗତିରେ ବିଜ୍ଞାନର ଭୂମିକା ସଂପର୍କରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ପ୍ରଶଂସାଯୋଗ୍ୟ ।
କିମ୍ବା,
ତ୍ୟାଗ ମାର୍ଗରେ ଦୀକ୍ଷିତ
ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗ
ମାର୍ଗଗାମୀ ଜାତିଠାରୁ ତା’ର ପଥ ସଂପୂର୍ଣ୍ଣ ପୃଥକ ହୋଇଯାଏ ।
ଉ:- ତ୍ୟାଗ ମାର୍ଗରେ ....................ପୃଥକ ହୋଇଯାଏ । ଉକ୍ତ ଗଦ୍ୟାଂଶଟି ମହାନ୍ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟଙ୍କ ଦ୍ୱାରା ରଚିତ ସଭ୍ୟତା ଓ ବିଜ୍ଞାନ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଆଲୋଚ୍ୟ ଅଂଶରେ ଲେଖକ ପୃଥିବୀର ବିଭିନ୍ନ ସଭ୍ୟତା ଓ ସଂସ୍କୃତିର ତୁଳନାତ୍ମକ ଚିତ୍ର ଉପସ୍ଥାପନା କରି ଭାରତୀୟ ସଭ୍ୟତାର ଅନନ୍ୟ ମହତ୍ତ୍ୱ ଉପରେ ଆଲୋକପାତ କରିଛନ୍ତି । ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାର ଆଦର୍ଶ ଯାବତୀୟ ବୈଷୟିକ ଉନ୍ନତି ଓ ଭୋଗବାଦୀ ଚିନ୍ତାଧାରା ଥିଲା ବେଳେ ଭାରତୀୟ ସଭ୍ୟତା ତ୍ୟାଗ ଓ ଆତ୍ମସଂଯମ ଉପରେ ପ୍ରତିଷ୍ଠିତ ଥିଲା । ସମସ୍ତ ବୈଶୟିକ ଜଞ୍ଜାଳକୁ ସେମାନେ ବିପଦର କାରଣ ବୋଲି ଭାବୁଥିଲେ । ତେଣୁ ଭାରତୀୟ ଗୃହସ୍ଥମାନେ ବୈଷୟିକ ଜଞ୍ଜାଳ ମଧ୍ୟରେ ଥାଇ ମଧ୍ୟ ନିଜର ସ୍ୱାତନ୍ତ୍ର୍ୟତା ବଜାୟ ରଖିଥିଲେ । ସମସ୍ତ ଉନ୍ନତି ତ୍ୟାଗ ଓ ଆତ୍ମସଂଯମ ମାଧ୍ୟମରେ ହେଉଥିଲା । ତ୍ୟାଗ ମାର୍ଗରେ ଭାରତୀୟମାନେ ଲାଭ କରୁଥିବା ସମସ୍ତ ବୈଷୟିକ ଉନ୍ନତି ପାଶ୍ଚାତ୍ୟ ଭୋଗବାଦୀଙ୍କଠାରୁ କୌଣସି ଗୁଣରେ ନ୍ୟୁନ ନଥିଲା । ବରଂ ପାଶ୍ଚାତ୍ୟ ସଭ୍ୟତାର ସମସ୍ତ ବୈଷୟିକ ଉନ୍ନତି ଇଚ୍ଛାକୃତ ଥିଲା ବେଳେ ଭାରତୀୟଙ୍କର ତାହା ଥିଲା ତ୍ୟାଗମାର୍ଗର ସ୍ୱତଃ ସମ୍ଭୂତ ଫଳ । ତେଣୁ ପୃଥିବୀର ଅନ୍ୟାନ୍ୟ ଭୋଗଗାମୀ ଜାତିଠାରୁ ଭାରତର ସଭ୍ୟତାର ପଥ ସଂପୂର୍ଣ୍ଣ ପୃଥକ ଅଟେ । ବାସ୍ତବରେ ଭାରତୀୟ ସଭ୍ୟତା ଓ ସଂସ୍କୃତି ତ୍ୟାଗ ଓ ସଂଯମର ଅପୂର୍ବ ନିଦର୍ଶନ ।
୩- ପ୍ରାୟ ୨୫୦ଶବ୍ଦରେ ପ୍ରବନ୍ଧ ଲେଖ ।
ପରିବେଶ ସୁରକ୍ଷା
(ଉପକ୍ରମ- କାହାକୁ କୁହନ୍ତି-
ପ୍ରଦୂଷଣର କାରଣ- ନିରାକରଣ- ସଚେତନତା- ଉପସଂହାର)
ପରିବେଶ ସୁରକ୍ଷା
ଆଜିର ସ୍ୱାର୍ଥାନ୍ୱେଷୀ ମାନବ ପ୍ରକୃତି କ୍ରୋଡ଼ରେ ଜନ୍ମଲାଭ କରିଥିଲେ ମଧ୍ୟ ଏହା ଉପରେ ବିଜୟ ଲାଭ କରିବା ପାଇଁ ସର୍ବଦା ଚେଷ୍ଟା କରିଆସିଛି । ସ୍ଥୁଳତଃ ମନୁଷ୍ୟ ଜୀବନ ଧାରଣ ପାଇଁ ପ୍ରକୃତି ଉପରେ ନିର୍ଭରଶୀଳ । ମାତ୍ର ଏହାର ବିନାଶକାରୀ ରୂପ ଆଗରେ ସବୁ ସମୟରେ ହାର ମାନିଛି । ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ମନୁଷ୍ୟର ସଭ୍ୟତାକୁ ବହୁ ପଛକୁ ଠେଲି ଦେଇଛି । ଯଦିଓ ସେ ପରୋକ୍ଷ ଭାବରେ ଏଥି ନିମନ୍ତେ ଦାୟୀ କିନ୍ତୁ ସେ ନିରୂପାୟ । ଆମ ଚତୁଃପାଶ୍ୱର୍କୁ ଘେରି ରହି ଜୀବନ ଉପରେ ପ୍ରଭାବ ପକାଉଥିବା ପରିବୃତକୁ ହିଁ ପରିବେଶ କୁହାଯାଏ । ଏହାର ରକ୍ଷା କରିବା ଆମର ସର୍ବାଦୌ କର୍ତ୍ତବ୍ୟ । ପରିବେଶ ଯେତେ ସନ୍ତୁଳିତ ରହିବ ସଭ୍ୟତାର ଅଗ୍ରଗତି ସେତେ ତ୍ୱରାନ୍ୱିତ ହେବ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ପରିବାର ମଧ୍ୟରେ ବାସ କରେ ଓ ନାନା କାର୍ଯ୍ୟକଳାପ ଦ୍ୱାରା ଜୀବନ ଅତିବାହିତ କରେ । ଏହାର ପ୍ରଭାବ ପରିବେଶ ଉପରେ ପଡ଼େ । ଯାହା ଫଳରେ ମନୁଷ୍ୟ ତା’ର ଉତ୍ତରଦାୟାଦକୁ ପ୍ରଦୂଷିତ ପୃଥିବୀ ଉପହାର ସ୍ୱରୂପ ଦେବାକୁ ଯାଉଛି । ବିଜ୍ଞାନର ଜୟଯାତ୍ରା ଫଳରେ ବିଶ୍ୱର ଏକମାତ୍ର ଜୀବଗ୍ରହ କ୍ରମଶଃ ଧ୍ୱଂସ ହେବାରେ ଲାଗିଛି । ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବା ପାଇଁ ମାନବ ଜଙ୍ଗଲ କ୍ଷୟ କରିବା ସହିତ ନାନା ଶିଳ୍ପ କାରଖାନା ପ୍ରତିଷ୍ଠା କରିବା ଫଳରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । କାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ, ମିଥେନ୍, କାର୍ବନ ମନୋକ୍ସାଇଡ୍ ଆଦି ବିଷାକ୍ତ ଗ୍ୟାସ୍ର ପରିମାଣ ବୃଦ୍ଧି ହେତୁ ସବୁଜ କୋଠରୀ ପ୍ରଭାବର ଭୟାବହତା ଆଡ଼କୁ ପୃଥିବୀ ଅଗ୍ରସର ହେଉଛି । ପେଟ୍ରୋଲ, ଡିଜେଲ ଓ କୋଇଲାର ମାତ୍ରାଧିକ ବ୍ୟବହାର ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ହୋଇଛି ଓ ମନୁଷ୍ୟର ବଞ୍ôଚବା କଷ୍ଟକର ହୋଇପଡ଼ିଛି । ଗ୍ଲୋବାଲ ୱାର୍ମିଂ ଫଳରେ ଗ୍ଲାସିୟର ତରଳିବାରେ ଲାଗିଛି ଓ ସମୁଦ୍ରର ଜଳସ୍ତର ବଢ଼ୁଛି । ପୁନଶ୍ଚ କୃଷିକ୍ଷେତ୍ରରେ ପ୍ରୟୋଗ କରାଯାଉଥିବା ରାସାୟନିକ ସାର, କୀଟନାଶକ ଔଷଧର ବ୍ୟବହାର ଜଳ, ବାୟୁକୁ ନିରନ୍ତର ପ୍ରଦୂଷିତ କରିବାରେ ଲାଗିଛି । ପ୍ରଦୂଷଣର ଅନ୍ୟ ଏକ କାରଣ ଅବିଚାରିତ ଭାବେ ଜଙ୍ଗଲ ନଷ୍ଟ କରିବା । ରାସ୍ତା, ଗୃହ ନିର୍ମାଣ, ଶିଳ୍ପ ପ୍ରତିଷ୍ଠାନ ଓ ପୋଲ ଇତ୍ୟାଦି ନିର୍ମାଣ ପାଇଁ ଜଙ୍ଗଲ ନଷ୍ଟ କରି ମନୁଷ୍ୟ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରି ଚାଲିଛି । ଯାନବାହନରୁ ନିର୍ଗତ ଧୂମକୁଣ୍ଡଳୀ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ । ଏତଦ୍ଭିନ୍ନ ସହରାଞ୍ଚଳମାନଙ୍କରେ ଶବ୍ଦ ପ୍ରଦୂଷଣ ଏକ ବିକଟ ସମସ୍ୟା ରୂପେ ଉଭା ହୋଇଛି । ଜଳ ପ୍ରଦୂଷଣ ମଧ୍ୟ କେବଳ ଗ୍ରାମମାନଙ୍କରେ ନୁହେଁ ମେଟ୍ରୋ ସହରମାନଙ୍କରେ ଦେଖାଦେଇଛି । ଏକ ସୁସ୍ଥ ଜୀବନଯାପନ ପାଇଁ ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ । ଏହି ବିନାଶ ମାର୍ଗରୁ ରକ୍ଷା ପାଇବା ପାଇଁ ହେଲେ ସବୁ ସ୍ତରରେ ସଚେତନତା ସୃଷ୍ଟି ଏକାନ୍ତ ଆବଶ୍ୟକ । ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ସହିତ ଜଙ୍ଗଲ କ୍ଷୟକୁ ରୋକିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି । ଏହାଛଡ଼ା ନୂତନ ଜଙ୍ଗଲ ସୃଷ୍ଟି, ବୃକ୍ଷରୋପଣ, କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁର ସୁବିନିଯୋଗ ପାଇଁ ପଦକ୍ଷେପ ନେବା ଜରୁରୀ ଅଟେ । ଅବଶ୍ୟ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପର ଆବଶ୍ୟକତା ରହିଛି, ମାତ୍ର ଆଧୁନିକ କାରିଗରୀ କୌଶଳ ବିନିଯୋଗ କରି ପରିବେଶକୁ ନିର୍ମଳ ରଖିବା ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆନନ୍ଦର କଥା ସରକାର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନିମିତ୍ତ ପ୍ରଦୂଷଣ ବୋର୍ଡ ଗଠନ କରାଯାଇଛି । ‘ସ୍ୱଚ୍ଛ ଭାରତ’ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳକୁ ବାହ୍ୟ ମଳମୁକ୍ତ ଗ୍ରାମରେ ପରିଣତ କରାଯାଉଛି । ବନ ମହୋତ୍ସବ ପାଳନ କରି ନୂତନ ବୃକ୍ଷରୋପଣ କରାଯାଇ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବ୍ୟବସ୍ଥା ହୋଇଛି । ଏ ସମସ୍ତ ସତ୍ତ୍ୱେ ବର୍ତ୍ତମାନ ଭାରତର ରାଜଧାନୀ ଦିଲ୍ଲୀ ଯେପରି ଗ୍ୟାସ୍ ଚାମ୍ବରରେ ପରିଣତ ହେବାରେ ଲାଗିଛି, ତାହା ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ । ଏଣୁ ଆଜିର ଅନୁଚିନ୍ତା, ‘ପରିବେଶ ସୁରକ୍ଷା, ଜୀବନ ରକ୍ଷା’ ।
୪-ପ୍ରାୟ ୧୦୦ଟି ଶବ୍ଦରେ
ପତ୍ର ବା ଦରଖାସ୍ତ ଲେଖ ।
ତୁମ ଗ୍ରାମରେ ବୃଦ୍ଧି ପାଇଥିବା ଅସାମାଜିକ କାର୍ଯ୍ୟକଳାପର ନିରାକରଣ
ନିମନ୍ତେ ଥାନାଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।
ଉ: ମାନନୀୟ ଶ୍ରୀଯୁକ୍ତ
ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଅଧିକାରୀ, କଟକ
ବିଷୟ: ଅସାମାଜିକ କାର୍ଯ୍ୟକଳାପର ନିୟନ୍ତ୍ରଣ ।
ମହାଶୟ,
ଅତ୍ୟନ୍ତ ସମ୍ମାନର ସହ ଆମ୍ଭେ ଆପଣଙ୍କ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ଅଧିବାସୀଗଣ ନିମ୍ନୋକ୍ତ ବିଷୟ ପ୍ରତି ଆପଣଙ୍କ ସଦୟ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଆଶୁ ପ୍ରତିକାର ଆଶା କରୁଛୁ । ଏହିକି ଯେ ଗତ କିଛି ଦିନ ହେଲା ଆମ୍ଭ ଗ୍ରାମ ସମେତ ଆଖପାଖ ଅଞ୍ଚଳର ଚୋରି, ରାହଜାନୀ ଓ ଅସଦାଚରଣ ଭଳି ଅସାମାଜିକ କାର୍ଯ୍ୟାକଳାପ ବୃଦ୍ଧି ପାଇବାରେ ଲାଗିଛି । ଦିନ ଦ୍ୱିପହରରେ ମାରଣାସ୍ତ୍ର ଦେଖାଇ ଲୁଟ୍ କରିବା ସହ ଝିଅ ବୋହୂମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି । ତିନିଦିନ ତଳେ କବାଟ ଭାଙ୍ଗି ଗୋଟିଏ ଦୋକାନ ସମେତ କେତୋଟି ଘରୁ ଚୋରି ହୋଇଛି । ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯାଇଛି । କେତେଜଣ ନିର୍ଦ୍ଧିଷ୍ଟ ଅସାମାଜିକ ବ୍ୟକ୍ତି ମଦ୍ୟପାନ କରି ରାସ୍ତାଘାଟରେ ଗଣ୍ଡଗୋଳ ଭିଆଉ ଥିବାର ମଧ୍ୟ ନଜିର ରହିଛି । କ୍ରମଶଃ ଜୀବନ ଦୁର୍ବିସହ ହୋଇଉଠୁଛି । ରାତ୍ରି ସମୟରେ ବିଦ୍ୟୁତକାଟର ସୁଯୋଗ ନେଇ କେତେକ ସ୍ଥାନରୁ ଲୁଟ୍ ମଧ୍ୟହୋଇଛି । କିନ୍ତୁ ଅସାମାଜିକ ବ୍ୟକ୍ତିଙ୍କ ଡରରେ କେତେ ଜଣ ଥାନାକୁ ଯିବାକୁ ମଧ୍ୟ ଚାହୁଁନାହାନ୍ତି । ପୋଲିସର ନିଷ୍କ୍ରିୟତା ଅସାମାଜିକ ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହନ ଦେଉଛି । ଏଣୁ ବିନମ୍ର ନିବେଦନ କରୁକି ଆପଣ ଯଥାଶୀଘ୍ର ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାତ୍ରିକାଳୀନ ପ୍ରହରାକୁ ବ୍ୟାପକ କଲେ ଆମ୍ଭେ ଚିର ଉପକୃତ ହେବୁ । ଆପଣଙ୍କ ବିଶ୍ୱସ୍ତ ବଳରାମପୁର (କ) ସ୍ୱାକ୍ଷର ତା୬.୧.୨୦୨୦ (ଖ) ସ୍ୱାକ୍ଷର (ଗ) ସ୍ୱାକ୍ଷର (ଘ) ସ୍ୱାକ୍ଷର
୫- ନିମ୍ନ ଅନୁଚ୍ଛେଦ ପାଠ
କରି ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତିଟି ଉତ୍ତର ୨୫ଟି ଶବ୍ଦ ମଧ୍ୟରେ ହେବା
ଆବଶ୍ୟକ ।
ଏହି ଦାୟିତ୍ୱ ଯୋଗୁଁ ମୋର
ଦୁଇଟି ବଡ଼ ଉପକାର ହେଲା । ଗୋଟିଏ ହେଉଛି ଗାନ୍ଧିଜୀଙ୍କୁ ଚିହ୍ନିବାରେ । ଗାନ୍ଧିଜୀଙ୍କ ପ୍ରତି
ମୋର ପ୍ରଗାଢ଼ ଭକ୍ତି ଥିଲା । ଏହା ପ୍ରତ୍ୟେକ ଭାରତୀୟଙ୍କର ରହିବା କଥା । ଏଥିରେ ଆଶ୍ଚର୍ଯ୍ୟ
ହେବାରେ କିଛି ନାହିଁ; କିନ୍ତୁ
ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତାକୁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ହୋଇପାରୁନଥିଲି । ମୋତେ
ପଣ୍ଡିତ ଜବାହାରଲାଲଙ୍କ ସମାଜବାଦ ଯେତେ ଆନନ୍ଦ ଦେଇପାରୁଥିଲା । ଗାନ୍ଧିଜୀଙ୍କ ରାମରାଜ୍ୟ ସେତେ
ଆନନ୍ଦ ଦେଇପାରୁନଥିଲା । ମୁଁ ୧୯୫୨ ମସିହାରେ ପଢ଼ିବାକୁ ଆମେରିକା ଯାଇଥିଲି । ଆମେରିକା ବିଭବ
ଦେଖି ମୁଁ ଅଭିଭୂତ ହୋଇଯାଇଥିଲି । ଯୁବକ ମନ ଚାକଚକ୍ୟରେ ଅଭିଭୂତ ହେବା ସ୍ୱାଭାବିକ । ମୁଁ ତେଣୁ
ପଚାଶ ଓ ଷାଠିଏ ଦଶକରେ ଭାବୁଥିଲି ଯେ ଭାରତରେ ଯଦି ମୁଖ୍ୟ ଓଜନଦାର ଓ ବୃହତ ଶିଳ୍ପର ବିକାଶ ହେବ
ତାହାହେଲେ ଭାରତର ଅର୍ଥନୈତିକ ପ୍ରଗତି ଖୁବ ସହଜ ହେବ ।
ପ୍ରଶ୍ନାବଳୀ:
(କ) ପ୍ରତ୍ୟେକ ଭାରତୀୟର କ’ଣ
ରହିବା କଥା?
(ଖ) ଲେଖକ କ’ଣ ପାଇଁ
ପ୍ରସ୍ତୁତ ହୋଇପାରୁନଥିଲେ?
(ଗ) ଲେଖକ କେବେ ଓ କାହିଁକି
ଆମେରିକା ଯାଇଥିଲେ?
(ଘ) ସେ ଆମେରିକାରେ କ’ଣ ଦେଖି
ଅଭିଭୂତ ହୋଇପଡ଼ିଲେ?
(ଙ) ପଚାଶ ଓ ଷାଠିଏ ଦଶକରେ
ଲେଖକଙ୍କ ଚିନ୍ତାଧାରା କଣ ଥିଲା?
(କ) ପ୍ରତ୍ୟେକ ଭାରତୀୟର ଗାନ୍ଧିଜୀଙ୍କ ପ୍ରତି ଭକ୍ତି ରହିବା ଉଚିତ୍ । (ଖ) ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତାଧାରାକୁ ଗ୍ରହଣ କରିବାକୁ ଲେଖକ ପ୍ରସ୍ତୁତ ହୋଇପାରୁନଥିଲେ । (ଗ) ଲେଖକ ୧୯୫୨ ମସିହାରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ । (ଘ) ଆମେରିକାର ବିଭବ ଦେଖି ଲେଖକ ଅଭିଭୂତ ହୋଇଯାଇଥିଲେ । (ଙ) ପଚାଶ ଓ ଷାଠିଏ ଦଶକର ଲେଖକ ଚିନ୍ତା କରୁଥିଲେ ବୃହତ ଶିଳ୍ପର ବିକାଶ ହେଲେ ଭାରତର ଅର୍ଥନୈତିକ ପ୍ରଗତି ସହଜ ହେବ ।
Comments
Post a Comment