MIL UNIT 03 SUBJECTIVE
BACK
୧.(କ) ପଠିତ କବିତା ଅନୁସରଣରେ ଚିଲିକାର ସାଂୟକାଳୀନ ଦୃଶ୍ୟ ବର୍ଣ୍ଣନା କର ।
୧.(କ) ପଠିତ କବିତା ଅନୁସରଣରେ ଚିଲିକାର ସାଂୟକାଳୀନ ଦୃଶ୍ୟ ବର୍ଣ୍ଣନା କର ।
ଉ: ପ୍ରକୃତିର ଶ୍ରେଷ୍ଠ ଉପାସକ କବିବର ରାଧାନାଥ ରାୟ ଓଡ଼ିଆ କାବ୍ୟ ସାହିତ୍ୟର ଏକ ଅବିସ୍ମରଣୀୟ ପ୍ରତିଭା । ସୌନ୍ଦର୍ଯ୍ୟ ପିପାସୁ କବିଙ୍କର ଲେଖନୀମୁନରୁ ଝରିଡ଼ିଥିବା ‘ଚିଲିକା’ ଖଣ୍ଡକାବ୍ୟରୁ ସଂଗୃହୀତ ‘ଚିଲିକାର ସାୟନ୍ତନ’ କବିତାରେ ସେ ରୂପସୀ ଚିଲିକାର ବର୍ଣ୍ଣୋତ୍ସବମୟ ସାଂୟକାଳୀନ ଶୋଭା ବର୍ଣ୍ଣନାରେ ବିଭୋର ହୋଇଉଠିଛନ୍ତି । ସନ୍ଧ୍ୟାର ଆଗମନରେ କ୍ରମଶଃ ନିଶ୍ଚଳ ହୋଇଉଠୁଥିବା ଚିଲିକାର ବକ୍ଷଦେଶ ଗୃହାଭିମୁଖୀ ମୀନଜୀବୀମାନଙ୍କ ନୌକାରେ ପରିପୂର୍ଣ୍ଣ ହୋଇଉଠିଛି । ନୀଳଜଳରାଶିରେ ଛାୟାଚିତ୍ର ପ୍ରାୟେ ଦୃଶ୍ୟମାନ ମାଳମାଳ ପାଲଟଣା ନାବର ସୌନ୍ଦର୍ଯ୍ୟ କବିଙ୍କୁ ମନ୍ତ୍ର ମୁଗ୍ଧ କରିଛି । ମହାଉଲ୍ଲାସରେ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଧୀବରମାନଙ୍କ କଣ୍ଠରୁ ଭାସି ଆସୁଛି କବିସୂର୍ଯ୍ୟ ଗୀତାମୃତ ‘ଗଲାଣି ତ ଗଲା କଥାରେ ସଂଗୀତ’ର ଅପୂର୍ବ ମୂର୍ଚ୍ଛନା । ଉଲ୍ଲାସର ଆତ୍ମା ତୁଲ୍ୟ ଏହି ସଂଗୀତର ତାନ ହ୍ରଦର ନୀଳବକ୍ଷରେ କରିଛି ରାଜତ୍ୱ । କବିଙ୍କ ବର୍ଣ୍ଣନାରେ- “ଉଲ୍ଲାସର ଆତ୍ମା ପ୍ରାୟେ ଗୀତ ତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ ।” ଜ୍ୟୋତ୍ସ୍ନାବିଧୌତ ରଜନୀରେ ପାଟବସ୍ତ୍ର ପରିହିତା ଦିଗଙ୍ଗନାଗଣ ସତେଯେପରି ମଧୁର ସ୍ୱରରେ ହସିଉଠୁଛନ୍ତି । ପ୍ରକୃତି ରାଣୀ ନିଜକୁ ସଜେଇ ହେଉଛି ନାନା ରଙ୍ଗରେ । ରାତ୍ରିର ସୌନ୍ଦର୍ଯ୍ୟକୁ ଆହୁରି ମନୋମୁଗ୍ଧକର କରିଛି ପୋତପାଳମାନେ ମୀନ ଆକର୍ଷଣ ଆଶାରେ ନୌକାରେ ଜାଳିଥିବା ମଶାଲ । ଉକ୍ତ ମଶାଲକୁ ସଂସାରରେ ପାପମୂର୍ତ୍ତି ଭାବେ କବି ଅଭିହିତ କରିଛନ୍ତି । ଅଜ୍ଞାନ ଜନପ୍ରଲୋଭନର ବଶବର୍ତ୍ତୀ ହୋଇ ପାପଗର୍ତ୍ତରେ ପଡ଼ିଲା ଭଳି ମୀନମାନଙ୍କର ନୌକାକୁ ଲମ୍ଫ ଦେବାର ଦୃଶ୍ୟ ମନରେ ଭାବାନ୍ତର ସୃଷ୍ଟି କରିଛି । ଦୁଃଖୀ ମନରେ ଆଶାର ଉତ୍ଥାନ ପତନ ଭଳି ନୀଳ ତରଙ୍ଗ ମଧ୍ୟରେ ଦୋଳାୟମାନ ନୌକାରେ ଜଳୁଥିବା ମଶାଲର ଶିଖା ଦୃଶ୍ୟମାନ ତ କେବେ ଅନ୍ତର୍ହିତ ହେଉଛି ଚକ୍ଷୁପଥରୁ । ରାତ୍ରି ହେବା ସଙ୍ଗେ ସଙ୍ଗେ ଚନ୍ଦ୍ରଙ୍କ ରଜତ କିରଣରେ ପ୍ଲାବିତ ହୋଇଉଠିଛି ଚିଲିକା ମଧ୍ୟସ୍ଥ ଦ୍ୱୀପ, ଶୈଳ ଓ ବନସ୍ଥଳୀ ଯାହା ପାରଦ ଧୌତର ଭ୍ରମ ସୃଷ୍ଟି କରିଛି । କ୍ଷୀର ସିନ୍ଧୁର ସହୋଦର ସଦୃଶ ପ୍ରତୀୟମାନ ସମସ୍ତ ପ୍ରକୃତି । ଛାୟା ମିଶ୍ରିତ ବନସ୍ଥଳୀର ସୌନ୍ଦର୍ଯ୍ୟ ସର୍ପଭୂଷିତ ଚନ୍ଦ୍ରଚୂଡ଼ଙ୍କ ଶରୀର ପରି ମନକୁ ହରଣ କରିଛି । ସନ୍ଧ୍ୟାର ବୟସ କ୍ରମେ ବୃଦ୍ଧି ପାଇବାରେ ଲାଗିଛି । ଦୂର ଝରଣାର ଝରଝର ନାଦ ସହିତ ଝିଙ୍କାରିର ରାବ ରାତ୍ରିର ଗଭୀରତାକୁ ପ୍ରଚାର କରୁଥିଲେ । ସମଗ୍ର ଚିଲିକା ବକ୍ଷରେ ଶାନ୍ତି ବିରାଜମାନ କରୁଥିଲା । କବିଙ୍କ ଭାଷାରେ ସତେ ଯେପରି କଳି ଉପଦ୍ରବରେ ଅତିଷ୍ଠ ହୋଇ ଶାନ୍ତି ଲୋକାଳୟ ତ୍ୟାଗ କରି ଏଠାରେ ଆଶ୍ରୟ ଗ୍ରହଣ କରିଛି । ଶୋଭାର ଭଣ୍ଡାର ରୂପମୟୀ ଚିଲିକାର ସାନ୍ଧ୍ୟକାଳୀନ ଦୃଶ୍ୟକୁ କବି ଅତ୍ୟନ୍ତ ମନୋରମ ଶୈଳୀରେ ଉପସ୍ଥାପନା କରିଛନ୍ତି ।
(ଖ) ପ୍ରାୟ ୫୦ଟି ଶବ୍ଦରେ ସପ୍ରସଙ୍ଗ ଉତ୍ତର ଲେଖ । ଦୁଃଖୀମନେ ଆଶା
ଉତ୍ଥାନ ପତନ ପ୍ରାୟେ ଶିଖା ଉଠେ ପଡ଼େ ଘନ ଘନ ।
ଉ: ଦୁଃଖୀ ମନେ ........................ ଘନଘନ । ପ୍ରୋକ୍ତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ରଚିତ ‘ଚିଲିକା’ ଖଣ୍ଡବାକ୍ୟ ଅନ୍ତର୍ଗତ ‘ଚିଲିକାରେ ସାୟନ୍ତନ’ ଶୀର୍ଷକ କବିତାରୁ ଆନୀତ । ଆଲୋଚ୍ୟ ପ୍ରସଙ୍ଗରେ କବି ରୂସୀ ଚିଲିକାର ନୀଳ ଜଳରାଶିରେ ଗୃହାଭିମୁଖୀ ମୀନଜୀବୀଙ୍କ ନୌକାରେ ଜଳୁଥିବା ମଶାଲର ଶିଖା ସହିତ ଦୁଃଖୀ ମନରେ ଉଠୁଥିବା ଆଶାର ଉତ୍ଥାନ ପତନର ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି । ଚିଲିକା ବକ୍ଷରେ ରାତ୍ରିର ଆଗମନ ହେବା ସଙ୍ଗେ ସଙ୍ଗେ ମତ୍ସ୍ୟଜୀବୀ ଗଣ ମହାଉଲ୍ଲାସରେ ପାଲଟଣା ନୌକାରେ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଦୂରରୁ ଭାସିଆସେ କବିସୂର୍ଯ୍ୟ ଗୀତାମୃତର କିଛି ପଂକ୍ତି । ଉକ୍ତ ସମୟରେ ମୀନମାନଙ୍କ ଆକର୍ଷଣ ଆଶାରେ ପୋତପାଳମାନେ ନୌକାରେ ଜାଳିଦେଇଥିବା ମଶାଲ ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥାଏ । ଏହାର ତରଙ୍ଗାୟିତ ଜଳରାଶିରେ ଦୋଳାୟମାନ ନାବରେ ଜଳୁଥିବା ମଶାଲ ଥରେ ଦୃଶ୍ୟମାନ ହୋଇ କ୍ଷଣିକରେ ପୁଣି ଅପସରି ଯାଏ; ଯାହାକୁ କବି ମନୁଷ୍ୟର ଜୀବନ ଦର୍ଶନ ସହ ଯୋଡ଼ିଦେଇଛନ୍ତି । ଦୁଃଖୀ ମନୁଷ୍ୟ ମନରେ ଉଙ୍କି ମାରୁଥିବା ସୁଖର କଳ୍ପନା ଠିକ୍ ସେହି ମଶାଲର ଶିଖା ପରି ଯିଏ କ୍ଷଣିକ ପାଇଁ ଆସେ ମାତ୍ର ପର ମୁହୂର୍ତ୍ତରେ ମଉଳିଯାଏ । ବାସ୍ତବରେ କବିଙ୍କ କଳ୍ପନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ।
କିମ୍ବା,
ପ୍ରତିବିମ୍ବରାଜି ଦ୍ୱୀପ- ଶୈଳ-ତଳେ ସ୍ପଷ୍ଟାକାରେ ଶୋଭେ ହ୍ରଦ-
ଅନ୍ତଃସ୍ଥଳେ
ଉ: ପ୍ରତିବିମ୍ବ ରାଜି ...................... ହ୍ରଦ ଅନ୍ତଃସ୍ଥଳେ । ଶଂସିତ ପଦ୍ୟାଂଶଟି ସୌନ୍ଦର୍ଯ୍ୟପୂଜାରୀ କବିବର ରାଧାନାଥ ରାୟଙ୍କ ରଚିତ ଖଣ୍ଡକାବ୍ୟ ‘ଚିଲିକା’ର ଅଂଶ ବିଶେଷ ‘ଚିଲିକାରେ ସାୟନ୍ତନ’ ଶୀର୍ଷକ କବିତାରୁ ସଂଗୃହୀତ । ଆଲୋଚ୍ୟ ଅଂଶରେ କବି ରୂସୀ ଚିଲିକାରେ ଜ୍ୟୋସ୍ନାବିଧୌତ ରଜନୀର ଶୋଭା ବର୍ଣ୍ଣନା କରିଛନ୍ତି । ଭାଲେରୀ ଶିଖରରେ ସନ୍ଧ୍ୟାତାରା ଚିଲିକା ବକ୍ଷରେ ରାତ୍ରିର ଆଗମନୀ ବାର୍ତ୍ତା ପ୍ରଚାର କରିଛି । ଅବନୀ ହୋଇଛି ନୀରବ ନିଶ୍ଚଳ । ରୂପେଲି ଜ୍ୟୋସ୍ନାର ବର୍ଣ୍ଣବିଭା ଚିଲିକା ବକ୍ଷରେ ବିଚ୍ଛୁରିତ ହୋଇ ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି । ଜଳ, ସ୍ଥଳ, ଆକାଶ ସର୍ବତ୍ର ସତେ ଯେପରି ପାରଦର ଆସ୍ତରଣ ଘୋଡ଼େଇ ହୋଇଯାଇଛି । ନିର୍ମଳ ଚନ୍ଦ୍ର କିରଣରେ ଚିଲିକାର ସ୍ୱଚ୍ଛ ଜଳରାଶି ମଧ୍ୟରେ ଥିବା ଦ୍ୱୀପ ଓ ପର୍ବତଗୁଡ଼ିକ ସ୍ପଷ୍ଟ ଭାବରେ ପ୍ରତିବିମ୍ବ ହୋଇ ଅପୂର୍ବ ଶୋଭା ଧାରଣ କରିଛି । ଶୁଭ୍ର, ଜ୍ୟୋସ୍ନା ପରିପ୍ଲୁତ ଗିରି, ବନ, ନାସି, କ୍ଷୀର ସମୁଦ୍ରର ଭ୍ରମ ସୃଷ୍ଟି କରି ଦର୍ଶକମାନଙ୍କୁ କିଣି ନେଇଥାଏ । ନିଳାମ୍ବୁ ଚିଲିକାର ସାନ୍ଧ୍ୟକାଳୀନ କମନୀୟ ରୂପଛିଟା କବିଙ୍କ ଲେଖନୀ ମୁନରେ ଜୀବନ୍ତ ଭାବେ ରୂାୟିତ ହୋଇଛି ।
୨.(କ) ପ୍ରାୟ ୧୨୦ଟି ଶବ୍ଦରେ ଉତ୍ତର ଲେଖ । ମାତୃଭାଷା ଶିକ୍ଷା ହିଁ
ଦେଶ ଓ ଜାତିର ପ୍ରଗତିର ପରିଚାୟକ- ପଠିତ ପ୍ରବନ୍ଧକୁ ଭିତ୍ତି କରି ଆଲୋଚନା କର ।
ଉ: ବିଶିଷ୍ଟ ଭାଷା ବିଜ୍ଞାନୀ, ଅନୁବାଦକ ତଥା ଶିଶୁ ସାହିତ୍ୟିକ ଗୋଲୋକ ବିହାରୀ ଧଳ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ନିଜସ୍ୱ କଳା ଚାତୁରୀରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ସେହି ପ୍ରଥିତଯଶା ପ୍ରାବନ୍ଧିକଙ୍କ ଚର୍ଚ୍ଚିତ ପୁସ୍ତକ ‘ଓଡ଼ିଆ କେବେ’ରୁ ସଂଗୃହୀତ ଆଲୋଚ୍ୟ ବିଷୟ ‘ମାତୃଭାଷା ଓ ଲୋକଶିକ୍ଷା’ରେ ସେ ମାତୃଭାଷାର ଅନନ୍ୟ ମହତ୍ତ୍ୱ ଦର୍ଶାଇବା ସହ ଦେଶ ଜାତିର ପ୍ରଗତିରେ ତହିଁର ଭୂମିକା ସଂପର୍କରେ ଆଲୋକପାତ କରିଛନ୍ତି । ଅନ୍ନ ବସ୍ତ୍ର ପରି ମାତୃଭାଷା ମନୁଷ୍ୟର ସର୍ବନିମ୍ନ ଆବଶ୍ୟକତା । ତେଣୁ ଜାତିର ପିତା ମହାତ୍ମାଗାନ୍ଧି ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ମନେ କରୁଥିଲେ । ତାଙ୍କ ଦୃଷ୍ଟିରେ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ, ତାକୁ କେବେ ଦେଶଭକ୍ତ କୁହାଯାଇପାରିବ ନାହିଁ । ଅପରପକ୍ଷରେ ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷିତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହୋଇପାରିବ ନାହିାଁ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ହିଁ ଦେଶ ଜାତିର ସର୍ବାଙ୍ଗୀନ ଉନ୍ନତି ସାଧନରେ ସହାୟକ ହୋଇଥାଏ । କାରଣ ସମୂହ ଜନତାକୁ ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରିବାକୁ ହେଲେ ମାତୃଭାଷା ହିଁ ସର୍ବୋକୃଷ୍ଟ ମାଧ୍ୟମ । ଏହାଛଡ଼ା ନିଜ ଭାଷାରେ ମନୁଷ୍ୟରେ ଯେଉଁ ସ୍ୱାଭାବିକ ସ୍ଫୂର୍ତ୍ତି ହୁଏ ଅନ୍ୟ କୌଣସି ବିଦେଶୀ ଭାଷାରେ ତାହା ହୁଏ ନାହିଁ । ମାତ୍ର ପରିତାପର ବିଷୟ ଏହିକି ଯେ ଇଂରେଜୀ ଭାଷାର ପ୍ରଭାବରେ ହେଉ ବା ତଥାକଥିତ ଜ୍ଞାନୀ ଲୋକମାନଙ୍କର ମାତୃଭାଷା ପ୍ରତି ଉଦାସୀନତା କାରଣରୁ ମାତୃଭାଷାର ଅଗ୍ରଗତି ବାଧାପ୍ରାପ୍ତ ହେଉଛି । ପୁନଶ୍ଚ ଆମ ଦେଶର ଜ୍ଞାନଭଣ୍ଡାରଟା ଇଂରେଜୀରେ ଥିବାରୁ କୋଟି କୋଟି ଜନତା ଆଖି ଥାଉଁ ଥାଉଁ ଅନ୍ଧ । ସମସ୍ତ ସରକାରୀ ଯୋଜନା ଅନ୍ୟାନ୍ୟ ଜନହିତକର କାର୍ଯ୍ୟର ବିବରଣୀ ଓ ବିଜ୍ଞାପନ ପ୍ରଭୃତି ଇଂରେଜୀ ଭାଷାରେ ଥିବାରୁ ସାଧାରଣ ଜନତା ଏହାର ସୁଫଳ ପାଇ ପାରୁନାହିଁ । ଅଧୁନା ପୃଥିବୀର ସମସ୍ତ ସଭ୍ୟ ଦେଶ ମାତୃଭାଷାରେ ଶିକ୍ଷାଦାନ କରି ତା’ର ସୁଫଳ ପାଇ ପାରିଲେଣି । କୃଷି ଓ ଶିଳ୍ପ କ୍ଷେତ୍ରରେ ମଧ୍ୟ ମାତୃଭାଷାର ଗୁରୁତ୍ୱୂର୍ଣ୍ଣ ଭୂମିକା ରହିଛି । କୃଷକଟି ନିଜ କଥିତ ଭାଷାରେ ରଚିତ ପୁସ୍ତକରେ କୃଷି ସମ୍ବନ୍ଧୀୟ ତଥ୍ୟକୁ ହାସଲ କରି ତାହାର ଉନ୍ନତି ସାଧନ କରିଥାଏ । କିନ୍ତୁ ଦୁର୍ଭାଗ୍ୟକୁ ଏସମସ୍ତ ଇଂରେଜୀ ଭାଷାରେ ଥିବାରୁ କୃଷିର ଉନ୍ନତି ଅସମ୍ଭବ ହୋଇ ଉଠିଛି ଯାହା ଦେଶର ଅଗ୍ରଗତି ପଥରେ ଅନ୍ତରାୟ ସୃଷ୍ଟି କରିଛି । ମାତୃଭାଷାରେ ଶିକ୍ଷାଦାନ ଦ୍ୱାରା ଜ୍ଞାନ ସହଜରେ ପ୍ରସାରିତ ହୋଇଥାଏ । ଅତୀତରେ ଶିକ୍ଷା ବିଷୟକୁ ନେଇ ଯେତେ ସବୁ କମିଟି ବସିଛି ସମସ୍ତେ ସମସ୍ୱରରେ ମାତୃଭାଷା ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଅତଏବ ମାତୃଭାଷାରେ ଶିକ୍ଷା ପାଇବା ଦ୍ୱାରା ବ୍ୟକ୍ତି ପ୍ରତିଟି ବିଷୟରେ ଜ୍ଞାନଲାଭ କରିବା ସହିତ ଦେଶକୁ ପ୍ରଗତି ପଥରେ ଆଗେଇ ନେବ ଏଥିରେ ଦ୍ୱିମତ ନାହିଁ ।
(ଖ) ପ୍ରାୟ ୫୦ଟି ଶବ୍ଦରେ ସପ୍ରସଙ୍ଗ ସରଳାର୍ଥ ଲେଖ । ମାତୃଭାଷାରେ
ମନୁଷ୍ୟର ଯେଉଁ ସ୍ଫୁର୍ତ୍ତି ହୁଏ,
ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ତା’ ହୁଏ ନାହିଁ ।
ଉ: ମାତୃଭାଷାରେ .......................... ନାହିଁ ।
ଶଂସିତ ଗଦ୍ୟାଂଶଟି ଧ୍ୱନିତତ୍ତ୍ୱବିତ୍ ଗୋଲୋକ ବିହାର ଧଳଙ୍କ ‘ମାତୃଭାଷା ଓ ଲୋକଶିକ୍ଷା’ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଆଲୋଚ୍ୟ ଅଂଶରେ ନିଜର ଭାବପ୍ରକାଶ ପାଇଁ ମାତୃଭାଷାର ଆବଶ୍ୟକତା ସମ୍ପର୍କରେ ଲେଖକ ବର୍ଣ୍ଣନା କରିଛନ୍ତି । ମନୁଷ୍ୟ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଭାବର ବିନିମୟ ପାଇଁ ମାତୃଭାଷାକୁ ପ୍ରାଧାନ୍ୟ ଦେଇଆସିଛି । କାରଣ ମାତୃଭାଷାରେ ଯେତେ ଶୀଘ୍ର କାର୍ଯ୍ୟ କରିହେବ ତାହା ଅନ୍ୟ କୌଣସି ବିଦେଶୀ ଭାଷାରେ ସମ୍ଭବ ନୁହେଁ । ସମୂହ ଜନତାକୁ ଅଳ୍ପ ସମୟ ମଧ୍ୟରେ କେବଳ ମାତୃଭାଷାରେ ଶିକ୍ଷିତ କରିହେବ । ଦେଢ଼ ଶହ ବର୍ଷ ଧରି ଭାରତ ଇଂରେଜ ଶାସନାଧୀନ ଥିଲେ ମଧ୍ୟ ଆଜି ଖୁବ୍ କମ୍ ଲୋକଙ୍କର ଇଂରାଜି ଜ୍ଞାନ ଅଛି । ମାତୃଭାଷାରେ ଲିଖିତ ଶହେ ପୃଷ୍ଠାର ପୁସ୍ତକ ପଢ଼ିବାକୁ ଯେତେ ସମୟ ନିଏ ସେତିକି ପୃଷ୍ଠାର ଅନ୍ୟ ଭାଷାର ପୁସ୍ତକ ପାଠ କରିବାକୁ ଯଥେଷ୍ଟ ଅଧିକ ମାନସିକ ପରିଶ୍ରମ ଲୋଡ଼ା । ମାତୃଭାଷା ସାହାଯ୍ୟରେ ନିଜକୁ ଖୁବ୍ ସହଜ ଓ ସ୍ୱାଭାବିକ ଭାବରେ ପ୍ରକାଶ କରିହେବ । ଏହି ଭାଷାରେ ଯେଉଁ ସ୍ଫୁର୍ତ୍ତି ହୁଏ ତାହା ଅନ୍ୟ ଭାଷାରେ ବିରଳ । ଏଣୁ ଅନ୍ନଦା ଶଙ୍କର ରାୟଙ୍କ ଭଳି ପ୍ରଖ୍ୟାତ ଲେଖକ ପ୍ରଥମେ ଓଡ଼ିଆରେ ଲେଖିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସହଜ ଭାବ ପ୍ରକାଶ ପାଇଁ ନିଜର ମାତୃଭାଷା ବଙ୍ଗଳାରେ ଲେଖାଲେଖି କଲେ । ବାସ୍ତବିକ ମାତୃଭାଷାରେ ହିଁ ମନୁଷ୍ୟର ସ୍ୱାଭାବିକ ସ୍ଫୁର୍ତ୍ତି ହୋଇଥାଏ ।
କିମ୍ବା,
କିନ୍ତୁ ଆମ ଦେଶରେ ଜ୍ଞାନ ଭଣ୍ଡାରଟା ଇଂରେଜିରେ
ଥିବାରୁ କୋଟି କୋଟି ଜନତା ଆଖି ଥାଉଁ ଥାଉଁ ଅନ୍ଧ ।
ଉ: କିନ୍ତୁ ଆମ ଦେଶରେ ......... ଥାଉଁ ଥାଉଁ ଅନ୍ଧ । ପ୍ରୋକ୍ତ ଗଦ୍ୟାଂଶଟି ଗୋଲୋକ ବିହାରୀ ଧଳଙ୍କ ‘ଓଡ଼ିଆ କେବେ’ ପୁସ୍ତକସ୍ଥ ‘ମାତୃଭାଷା ଓ ଲୋକଶିକ୍ଷା’ ଶୀର୍ଷକ ପ୍ରବନ୍ଧରୁ ଉଦ୍ଧୃତ । ଆଲୋଚ୍ୟ ପ୍ରସଙ୍ଗରେ ଲେଖକ ଜ୍ଞାନର ବିକାଶ ପଥରେ ଇଂରେଜି ଭାଷା କିଭଳି ପ୍ରତିବନ୍ଧକ ସାଜିଛି ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ନିଜ ମନର ଭାବ ପ୍ରକାଶ କରିବା ସହିତ ଜ୍ଞାନର ଅଭିବୃଦ୍ଧି ପାଇଁ ମାତୃଭାଷା ହିଁ ସର୍ବୋତ୍କୃଷ୍ଟ ମାଧ୍ୟମ । କୌଣସି ବିଦେଶୀ ଭାଷାରେ ଏହା ସମ୍ଭବ ନୁହେଁ । ବିଲାତ ପ୍ରଭୃତି ଦେଶରେ ବିଲେଇ, କୁକୁର ପାଳିବା ଠାରୁ ଆରମ୍ଭ କରି ଉଡ଼ାଜାହାଜ ତିଆରି ପର୍ଯ୍ୟନ୍ତ ସମସ୍ତ ଜ୍ଞାନ ସରଳ ଭାବରେ ନିଜ ମାତୃଭାଷାରେ ଲେଖାଯାଇଥିବା ବେଳେ ଆମ ଦେଶରେ ଏସବୁ ଇଂରେଜି ଭାଷାରେ ରଚିତ । ଯାହା ଫଳରେ ଜ୍ଞାନ ସହଜରେ ବିସ୍ତାର ଲାଭ ନ ହୋଇ କତିପୟ ବ୍ୟକ୍ତିଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିଯାଇଛି । ଯେଉଁ କେତେକ ଇଂରେଜି ପଢ଼ୁଆ ବ୍ୟକ୍ତି ଇଂରାଜି ପାଠ ବୁଝିପାରୁଛନ୍ତି ସେମାନଙ୍କ ମନରେ ଅଭିମାନ ଥିଲା ବେଳେ ଇଂରେଜି ଅନଭିଜ୍ଞ ବ୍ୟକ୍ତି ହୀନମନ୍ୟତାର ଶୀକାର ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ପ୍ରତ୍ୟେକ ବିଷୟରେ ନାନା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଦେଶ ଅଭିଜ୍ଞ ଓ ଅନଭିଜ୍ଞ ଏହିପରି ଦୁଇ ଶ୍ରେଣୀରେ ବିଭକ୍ତ ହୋଇଯାଇଛି । ବାସ୍ତବିକ ଦେଶରେ କ୍ରମବର୍ଦ୍ଧିଷ୍ଣୁ ଇଂରେଜି ଭାଷାର ପ୍ରଭାବ ଓ ଏହାର କୁପରିଣାମ ଉପରେ ଲେଖକଙ୍କ ବର୍ଣ୍ଣନା ଯୁକ୍ତିଯୁକ୍ତ ହୋଇଛି ।
୩. ପ୍ରାୟ ୨୫୦ଟି ଶବ୍ଦରେ ପ୍ରବନ୍ଧ ଲେଖ ।
ଓଡ଼ିଶାର ପର୍ବ ପର୍ବାଣି (ଉପକ୍ରମ - ବର୍ଣ୍ଣନା - ବିଭିନ୍ନ
ପର୍ବପର୍ବାଣି - ଜନଜୀବନରେ ପ୍ରଭାବ - ଉପସଂହାର)
ଓଡ଼ିଶାର ପର୍ବ ପର୍ବାଣି
ଉ: କର୍ମମୟ ଜୀବନରୁ ସାମୟିକ ବିଶ୍ରାମ ପାଇଁ ମନୁଷ୍ୟ ପାଳନ କରେ ବିଭିନ୍ନ ପର୍ବପର୍ବାଣି । ସାମାଜିକ ବ୍ୟବସ୍ଥା ମଧ୍ୟରେ ଧାର୍ମିକ ଆବେଗ ଭରିଦେଇ ଜୀବନର ପ୍ରକୃତ ସତ୍ୟକୁ ସେ ଉପଲବ୍ଧି କରିଥାଏ । ଦେବଭୂମି ଭାବେ ଖ୍ୟାତ ଓଡ଼ିଶାର ପଲ୍ଲୀବାସୀ ଦରିଦ୍ର ହେଲେ ମଧ୍ୟ ପର୍ବ ପାଳନରେ କୌଣସି କାର୍ପଣ୍ୟ କରି ନ ଥାନ୍ତି । ସମସ୍ୟା ଜର୍ଜରିତ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଓଡ଼ିଶାବାସୀ ପାଳନ କରନ୍ତି ବାର ମାସରେ ତେର ପର୍ବ । ନିଜର ପରମ ଆରାଧ୍ୟ ଜଗତର ନାଥ ଜଗନ୍ନାଥଙ୍କୁ କେନ୍ଦ୍ର କରି ପାଳିତ ହୁଏ ଅନେକ ପର୍ବ । ମୁଖ୍ୟତଃ ସାଂସ୍କୃତିକ ସମନ୍ୱୟ ରକ୍ଷା, ସୁଖରୋଚକ ଖାଦ୍ୟର ସମ୍ଭାର, ଅବସର ବିନୋଦନ ତଥା ପରମ୍ପରାର ସୁରକ୍ଷା ପର୍ବ ପାଳନର ଉଦ୍ଦେଶ୍ୟ । ଗଭୀର ଈଶ୍ୱର ବିଶ୍ୱାସ ଓ ମାନସିକ ପୂରଣରୁ ମଧ୍ୟ ପର୍ବ ପର୍ବାଣିର ସୃଷ୍ଟି । ଓଡ଼ିଶାରେ ପାଳିତ ହେଉଥିବା ଅଧିକାଂଶ ପର୍ବ କୃଷିଭିତ୍ତିକ ହୋଇଥିବା ବେଳେ ଆଉ କେତେକ ଋତୁକାଳୀନ । ଗ୍ରୀଷ୍ମଋତୁର ପ୍ରାରମ୍ଭରେ ପ୍ରଚଣ୍ଡ ରୌଦ୍ରତାପଦଗ୍ଧ ମନୁଷ୍ୟ ସୁଶୀତଳ ଛାୟା ସନ୍ଧାନରେ ଥିବା ବେଳେ ଆସେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ସନ୍ତାପିତ ପ୍ରାଣରେ ଶୀତଳତା ଭରିଦିଏ ସ୍ୱାଦିଷ୍ଟ ପଣା, ମନରେ ସୃଷ୍ଟି କରେ ଅନିର୍ବଚନୀୟ ଆନନ୍ଦ । ଏହି ମାସରେ ଅନ୍ୟାନ୍ୟ ପର୍ବଗୁଡ଼ିକ ମଧ୍ୟରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟାରେ କୃଷକ ବାପୁଡ଼ା ମା’ ଲକ୍ଷ୍ମୀଙ୍କୁ ଆବାହନ କରି କ୍ଷେତକୁ ଅକ୍ଷିମୁଠି ଅନୁକୂଳ କରୁଥିବା ସମୟରେ ଚନ୍ଦନ ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଚାପ ଖେଳ ଭକ୍ତମାନଙ୍କ ହୃଦୟରେ ଧାର୍ମିକ ଭାବଧାରା ଖେଳାଏ । ବୈଶାଖ ପରେ ଜ୍ୟେଷ୍ଠ ମାସର ଆଗମନରେ ରଜ, ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ ପ୍ରଭୃତି ପର୍ବ ପାଳନରେ ପଲ୍ଲୀ ହୋଇଉଠେ ଉତ୍ସବମୁଖର । ପୋଡପିଠାର ମହକ ସାଙ୍ଗକୁ କୁମାରୀ କଣ୍ଠରୁ ଝରିଡ଼େ ଗୀତର ମୂର୍ଚ୍ଛନା - “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ । ଘେନି ନୂଆ ସଜବାଜ ।” ସେହିପରି ସ୍ୱାମୀମାନଙ୍କ ଦୀର୍ଘ ଜୀବନ କାମନା କରି ଉତ୍କଳୀୟ ନାରୀ ପାଳନ କରୁଥିବା ସାବିତ୍ରୀ ବ୍ରତ ଏକ ନିଆରା ବାର୍ତ୍ତା ପ୍ରଚାର କରେ । ଆଷାଢ଼ର ପ୍ରଥମ ବାରିପାତ ନେଇଆସେ ପର୍ବର ସମ୍ଭାର । ଏହା ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରୁ ଆରମ୍ଭ ହୁଏ । ଶ୍ରାବଣର ରିମ୍ଝିମ୍ ବର୍ଷା ମଧ୍ୟରେ ଗହ୍ମା ପୂର୍ଣ୍ଣିମା, ଚିତାଲାଗି ଅମାବାସ୍ୟା ପରିବେଶକୁ ଆନନ୍ଦମୁଖର କରିଥାଏ । ଭାଦ୍ରବର ଆଗମନରେ ଜନ୍ମାଷ୍ଟମୀ, ବାଲିତୃତୀୟା ସୋମନାଥ ବ୍ରତ, ଗଣେଶ ପୂଜା, ବାମନ ଜନ୍ମ, ସୁନିଆ ଓ ଖୁଦୁରୁକୁଣୀ ପ୍ରଭୃତି ପର୍ବ ପାଳନରେ ଗ୍ରାମବାସୀ ନିଜକୁ ହଜେଇ ଦେଇଥାନ୍ତି । ପରେ ପରେ ମର୍ତ୍ତ୍ୟକୁ ଓହ୍ଲାଇ ଆସେ ଆଶ୍ୱିନ ମାସର ଶାରଦୀୟ ଦୁର୍ଗାପୂଜା । ଗାଁ ଗଣ୍ଡା, ସହରବଜାର ସବୁଠି ଉତ୍ସବର ହାଟ ବସେ । ଏହି ମାସରେ ପାଳିତ କୁମାର ପୂର୍ଣ୍ଣିମାରେ କୁମାରୀମାନଙ୍କ ପୁଚିଖେଳ ସାଙ୍ଗକୁ ପିଠାପଣାର ମହକ ବେଶ ଉପଭୋଗ୍ୟ । ଧର୍ମମାସ ନାମରେ ଖ୍ୟାତ କାର୍ତ୍ତିକ ଆଣେ କାଳୀପୂଜା, ଦୀପାବଳୀ, ଅଁଳାନବମୀ, ବଡ଼ଓଷା, ରାସପୂର୍ଣ୍ଣିମା ଆଦି ପର୍ବର ଢେଉ । ଲକ୍ଷ୍ମୀପୂଜା, ପ୍ରଥମାଷ୍ଟମୀର ଆନନ୍ଦ ମଧ୍ୟରେ ଧରାପୃଷ୍ଠକୁ ଅବତରି ଆସେ ମାର୍ଗଶିର । ମାଣବସା ଗୁରୁବାରରେ ପଲ୍ଲୀବଧୂ ପକ୍ୱ ଧାନ ସହ କରେ ମା’ ଲକ୍ଷ୍ମୀଙ୍କ ଆରାଧନା । ପିଠାପଣାର ପ୍ରାଚୁର୍ଯ୍ୟ ସାଙ୍ଗକୁ ଝୋଟିଚିତାର ଅପୂର୍ବ ଶୋଭା ମନ ହରଣ କରେ । ମକର ସଂକ୍ରାନ୍ତି, ଶାମ୍ବଦଶମୀ ପ୍ରଭୃତି ପର୍ବ ପୌଷମାସରେ ଓ ମାଘ ମାସରେ ସରସ୍ୱତୀ ପୂଜା ଭକ୍ତିଭାବ ଉଦ୍ରେକ କରିଥାଏ । ଋତୁରାଜ ବସନ୍ତ ଫାଲ୍ଗୁନ ମାସ ଆଗମନର ସଙ୍କେତ ଦିଏ ଦୋଳଯାତ୍ରା ସହିତ । ହୋଲି ଖେଳରେ ମାତିଯା’ନ୍ତି ଆବାଳବୃଦ୍ଧବନିତା । ଅଶୋକାଷ୍ଟମୀ ଓ ରାମନବମୀ ଚୈତ୍ର ମାସରେ ଅତ୍ୟନ୍ତ ଉତ୍ସାହର ସହ ପଲ୍ଲୀମାଟିରେ ପାଳିତ ହୁଏ । ପର୍ବ ପର୍ବାଣିଗୁଡ଼ିକ କେବଳ ମନୋରଞ୍ଜନର କାରଣ ହୋଇ ନ ଥାଏ । ଏହାଦ୍ୱାରା ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକସୂତ୍ରରେ ବାନ୍ଧି ହୋଇଥାନ୍ତି । ଏହା ସାମ୍ପ୍ରଦାୟିକ ସଦ୍ଭାବ, ରାଷ୍ଟ୍ରୀୟତା ଓ ସହନଶୀଳତା ଶିକ୍ଷା ଦେଇଥାଏ । ଓଡ଼ିଶାରେ କେବଳ ହିନ୍ଦୁ ନୁହଁନ୍ତି; ମୁସଲମାନ, ବୌଦ୍ଧ, ଶିଖ, ଖ୍ରୀଷ୍ଟିୟାନ, ଜୈନ ସମସ୍ତେ ନିଜ ନିଜ ପର୍ବ ଅତ୍ୟନ୍ତ ହର୍ଷ ଉଲ୍ଲାସରେ ପାଳନ କରିଥାନ୍ତି । ଏଣୁ ପର୍ବ ପାଳନ କରିବା ସମୟରେ ଆମକୁ ସତର୍କ ହେବାକୁ ପଡ଼ିବ । ଅଯଥା ଅପବ୍ୟୟ ନ କରି ବିଭିନ୍ନ ସମ୍ପ୍ରଦାୟଙ୍କ ମଧ୍ୟରେ ଭାଇଚାରା ରଖି କାର୍ଯ୍ୟ କରିବାକୁ ହେବ । ଏହା କରି ପାରିଲେ ମହାନ୍ ଉତ୍କଳୀୟ ସଂସ୍କୃତିର ରକ୍ଷା ହେବା ସଙ୍ଗେ ସଙ୍ଗେ ଏହାର ମୌଳିକତା ବଜାୟ ରହିବ ।
୪. ପ୍ରାୟ ୧୦୦ଟି ଶବ୍ଦରେ ପତ୍ର ଲେଖ । ପ୍ରଶ୍ନ:- ତୁମେ ଦେଖିଥିବା
ଏକ ସର୍କସ ବିଷୟରେ ବର୍ଣ୍ଣନା କରି ବନ୍ଧୁଙ୍କ ନିକଟକୁ ପତ୍ର ଲେଖ ।
ଉ: ଜଗତପୁର ପ୍ରିୟ ରକି, ତା୦୨ ।୦୧ ।୨୦୨୦ ମୋର ଆନ୍ତରିକ ଶୁଭେଚ୍ଛା ଗ୍ରହଣ କରିବୁ । ଆଶା ଭଲରେ ଥିବୁ । ଘରେ ମଉସା, ମାଉସୀ ତଥା ଅନ୍ୟ ଗୁରୁଜନମାନଙ୍କୁ ମୋର ପ୍ରଣାମ । ସାନ ଭାଇ ଭଉଣୀଙ୍କୁ ମୋର ସ୍ନେହ ଜଣାଇ ଦେବୁ । ତୋର ଚିଠି ପାଇଛି ହେଲେ କେତେକ ଜରୁରୀ କାର୍ଯ୍ୟ ହେତୁ ତାର ଉତ୍ତର ଦେଇ ପାରିନଥିଲି । ଏଣୁ ଦୁଃଖିତ । ଗତ ଡିସେମ୍ବର ମାସ ୨୫ ତାରିଖ ଦିନ ବଡ଼ଦିନ ପର୍ବ ପାଳନ ଅବସରରେ ଆମେ ସପରିବାର ନିକଟସ୍ଥ ପଡ଼ିଆରେ ଚାଲୁଥିବା ସର୍କସ ଦେଖିବାକୁ ଯାଇଥିଲୁ । ତାର କିଛି ରୋମାଞ୍ଚକର ଅନୁଭୂତି ଏ ଚିଠିରେ ବର୍ଣ୍ଣନା କରୁଛି । ସିନେମା, ଯାତ୍ରା ଭଳି ସର୍କସ ମଧ୍ୟ ମନୋରଞ୍ଜନର ଅନ୍ୟତମ ମାଧ୍ୟମ । ବିଶେଷ କରି ପିଲାମାନଙ୍କର ଏହା ଅତିପ୍ରିୟ । ଗତ କିଛି ଦିନ ଧରି ମ୍ୟୁନିସ୍ପାଲିଟି ପଡ଼ିଆରେ ଗ୍ରେଟ ଓରିଏଣ୍ଟାଲ୍ ସର୍କସ ନାମରେ ଏକ ସର୍କସ ଦଳ ଖେଳ ଦେଖାଉଛନ୍ତି । ଏହି ସର୍କସ ଦେଖିବା ପାଇଁ ଆମ ମନରେ ପ୍ରବଳ ଉତ୍ସାହ ଥିଲା । ପ୍ରଥମେ କାଉଣ୍ଟରରୁ ଟିକେଟ କାଟି ଭିତରକୁ ପ୍ରବେଶ କଲୁ । ଭିତରର ସାଜସଜ୍ଜା ସାଙ୍ଗକୁ ମଧୁର ବାଦ୍ୟଯନ୍ତ୍ର ଝଙ୍କାର ଆମକୁ ବିମୋହିତ କରିଥିଲା । ସର୍କସରେ ପଶୁପକ୍ଷୀମାନଙ୍କର ଖେଳ ଅତ୍ୟନ୍ତ ମଜାଦାର ଥିଲା । ଭାଲୁର ସାଇକେଲ ଚାଳନା, ହାତୀର ଗଣେଶ ପୂଜା, କୁକୁରର ବଲ୍ ମାରିବା ଆକର୍ଷଣୀୟ ଥିଲା । ବାଘ, ସିଂହମାନଙ୍କର ଖେଳ ଭୀତିପ୍ରଦ ଥିଲେ ମଧ୍ୟ ଖୁସି ଅନୂଭୂତ ହୋଇଥାଏ । ପଞ୍ଜୁରୀ ଭିତରେ ମଟର ସାଇକେଲ ଚାଳନା ଓ ଦୋଳି ଖେଳ ଦେଖି ଆମର ଶ୍ୱାସରୁଦ୍ଧ ହେଲା ଭଳି ଲାଗିଲା । ସବୁଠାରୁ ମଜା ଲାଗିଲା ଜୋକରମାନଙ୍କ ବେଶ ପୋଷାକ ଓ ଅଙ୍ଗଭଙ୍ଗୀ । ଆମେ ହସି ହସି ବେଦମ ହେଲୁ । ଆମେ ସଂପୂର୍ଣ୍ଣ ରୂପରେ ସର୍କସ ଦେଖାରେ ମଜ୍ଜିଯାଇଥିବା ବେଳେ କେତେବେଳେ ଯେ ୩ ଘଣ୍ଟା ସମୟ ଚାଲିଗଲା ତାହା ଆମେ ଜାଣି ପାରିଲୁ ନାହିଁ । ଆନନ୍ଦ ମନରେ ଘରକୁ ଫେରିଲୁ । ତୋର ଯଦି ଏଭଳି କିଛି ଅଭିଜ୍ଞତା ଥିବ, ସେ ବିଷୟରେ ନିଶ୍ଚୟ ଲେଖିବୁ । ତୋର ଚିଠି ଅପେକ୍ଷାରେ ରହିଲି । ଇତି ତୋର ସାଙ୍ଗ ରାଜୁ ଠିକଣା ଡାକ ଟିକଟ ଗ୍ରାହକ ଶ୍ରୀ ରାକେଶ ଦାଶ ଗ୍ରା/ପୋ- ପିପିଲି ଜି-ପୁରୀ ପିନ୍-୭୫୨୧୦୪ ପ୍ରେରକ ରାଜକିଶୋର ମହାନ୍ତି ଗ୍ରା/ପୋ-ଜଗତପୁର ଜି- କଟକ ପିନ୍- ୭୫୪୦୨୧
୫. ନିମ୍ନ ଅନୁଚ୍ଛେଦ ପାଠ କରି ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର
ଉତ୍ତର ଲେଖ । ପ୍ରତିଟି ଉତ୍ତର ୨୫ଟି ଶବ୍ଦ ମଧ୍ୟରେ ହେବା ଆବଶ୍ୟକ ।
ଭାରତର
ଜନସଂଖ୍ୟା ଦ୍ରୁତବେଗରେ ବଢ଼ିଚାଲିଛି ,କିନ୍ତୁ ତଦନୁସାରେ ଅଭିବୃଦ୍ଧି ଘଟୁନାହିଁ । ଜନସଂଖ୍ୟା ବୃଦ୍ଧିହାର
ତୁଳନାରେ ଆର୍ଥୀକ ଉନ୍ନତି ହେଉ ନଥିବାରୁ ଦେଶ ଆଶାନୁରୂପ ଅଗ୍ରଗତି କରି ପାରୁନାହିଁ ।
ଗ୍ରାମାଞ୍ଚଳରେ କୃଷି ଉତ୍ପାଦନ ଜନସଂଖ୍ୟା ବୃଦ୍ଧି ସହିତ ସମତାଳରେ ଆଗେଇ ପାରୁନାହିଁ ।
ଯାହାଫଳରେ ଦେଶରେ ଉତ୍କଟ ଖାଦ୍ୟ ସମସ୍ୟା ଦେଖା ଦେଇଛି । ଅନ୍ୟ ପକ୍ଷରେ କୃଷି କ୍ଷେତ୍ରରେ
ଲୋକମାନଙ୍କ ପାଇଁ ଯଥେଷ୍ଟ କାମ ରହୁନାହିଁ । ତେଣୁ ଜୀବିକା ସନ୍ଧାନରେ ବହୁ ବେକାର ଲୋକ
ଗ୍ରାମଭୂମି ତ୍ୟାଗ କରି ସହରାଞ୍ଚଳରେ ଭିଡ଼ ଜମାଇଛନ୍ତି । ଏତେ ସଂଖ୍ୟାରେ ବେକାର
ଯୁବକଯୁବତୀମାନଙ୍କ ପାଇଁ ସହରରେ ସରକାରୀ ହେଉ ବା ବେସରକାରୀ ଉଦ୍ୟୋଗରେ କର୍ମସଂସ୍ଥାନ କରିବା
ଏକରକମ ଅସମ୍ଭବ ହୋଇପଡ଼ିଛି । ଚାହିଦା ଅନୁସାରେ ସହରାଞ୍ଚଳରେ ଶିଳ୍ପୋଦ୍ୟୋଗର ବିକାଶ ମଧ୍ୟ
ଘଟୁନାହିଁ । ଶିକ୍ଷାର ପ୍ରସାର ଫଳରେ ଦେଶରେ ଶିକ୍ଷିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
ମାତ୍ର ସମସ୍ତ ଶିକ୍ଷିତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ କର୍ମସଂସ୍ଥାନ ହୋଇନପାରିଲେ ଶିକ୍ଷିତ
ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବା ସ୍ୱାଭାବିକ । ଏ ସମସ୍ୟା ଅତି ପ୍ରବଳ ହେବାରୁ ସହରାଞ୍ଚଳରେ
ନାନା ଅବାଞ୍ଛିତ, ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି । ପ୍ରଶ୍ନାବଳୀ: (କ) ଆମ ଦେଶ
ଆଶାନୁରୂପ ଅଗ୍ରଗତି କରି ପାରୁନାହିଁ କାହିଁକି?
(ଖ) ସହରାଞ୍ଚଳରେ ଲୋକମାନେ ଭିଡ଼ ଜମାଇଛନ୍ତି କାହିଁକି?
(ଗ) ଦେଶରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଛି
। କାହିଁକି?
(ଘ) ସହରାଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ କାହିଁକି
ବୃଦ୍ଧି ପାଉଛି?
(ଙ) ସହରରେ କର୍ମସଂସ୍ଥାନ ସମ୍ଭବପର ହେଉନାର୍ହି
କାହିଁକି?
ଉତ୍ତର: (କ) ଜନସଂଖ୍ୟା ବୃଦ୍ଧି ତୁଳନାରେ ଆର୍ଥିକ ଉନ୍ନତି ହେଉନଥିବାରୁ ଆମ ଦେଶ ଆଶାନୁରୂପ ଅଗ୍ରଗତି କରି ପାରୁନାହିଁ ।
(ଖ) ଜୀବିକା ସନ୍ଧାନରେ ବହୁବ୍ୟକ୍ତି ଗ୍ରାମ ତ୍ୟାଗ କରି ସହରାଞ୍ଚଳରେ ଭିଡ଼ ଜମାଇଛନ୍ତି ।
(ଗ)ଶିକ୍ଷାର ପ୍ରସାର ଫଳରେ ଦେଶରେ ଶିକ୍ଷିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି ମାତ୍ର ସମସ୍ତଙ୍କ ପାଇଁ ଉପଯୁକ୍ତ କର୍ମସଂସ୍ଥାନ ହୋଇନପାରିବାର ଅନେକ ଶିକ୍ଷିତ ବେକାର ହୋଇଯାଉଛନ୍ତି ।
(ଘ) ସହରାଞ୍ଚଳରେ ଜୀବିକା ସନ୍ଧାନରେ ବିଫଳ ହେବା ପରେ ଅନେକ ଶିକ୍ଷିତ ବେକାର ନାନା ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ।
(ଙ) ସହରାଞ୍ଚଳରେ ଶିଳ୍ପୋଦ୍ୟୋଗର ଆଶାନୁରୂପ ବିକାଶ ନ ହୋଇଥିବାରୁ ସମସ୍ତଙ୍କ ପାଇଁ କର୍ମସଂସ୍ଥାନ ସମ୍ଭବପର ହେଉନାହିଁ ।
Comments
Post a Comment