SCP(PHYSICAL SCIENCE) UNIT ONE SUBJECTIVE
BACK
୧. ‘ଶ୍ୱସନ ପ୍ରକ୍ରିୟା’ ଏକ ତାପଉତ୍ପାଦୀ ପ୍ରତିକ୍ରିୟା ଅଟେ ।
ରାସାୟନିକ ପ୍ରତିକ୍ରିୟା ସହ ବୁଝାଅ ।
୧. ବିଭିନ୍ନ ପ୍ରକାର ଖାଦ୍ୟରେ ଥିବା ଶ୍ୱେତସାରରୁ ପରିାକ ପ୍ରକ୍ରିୟାରେ ଆମ ଶରୀରରେ ଗ୍ଲୁକୋଜ୍ (C6H12O6) ସୃଷ୍ଟି ହୁଏ । ଅମ୍ଳଜାନ ସାହାଯ୍ୟରେ ଗ୍ଲୁକୋଜର ଜାରଣ ଘଟି ଅଙ୍ଗାରକାମ୍ଳ ଓ ଜଳ ସହ ଶକ୍ତି ଉତ୍ପନ୍ନ ହେଉଥିବାରୁ ଶ୍ୱସନ ପ୍ରକ୍ରିୟା ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା ଅଟେ ।
C6H12O6 + 6O2 -------> 6CO2 + 6H2O + ଶକ୍ତି
୨. ଜାରଣ-ବିଜାରଣ ପ୍ରତିକ୍ରିୟା କାହାକୁ କହନ୍ତି ? ଗୋଟିଏ
ଉଦାହରଣ ସହ ବୁଝାଅ ।
୨. ଯେଉଁ ରାସାୟନିକ ପ୍ରତିକ୍ରିୟା ବେଳେ ଗୋଟିଏ ପ୍ରତିକାରକ ଜାରିତ ହେଉଥିବା ବେଳେ ଅନ୍ୟ ଏକ ପ୍ରତିକାରକ ବିଜାରିତ ହେଉଥାଏ, ତାହାକୁ ଜାରଣ-ବିଜାରଣ ପ୍ରତିକ୍ରିୟା କୁହାଯାଏ ।
Example: ZnO + C -------> Zn (ବିଜାରଣ) + CO(ଜାରଣ)
୩. ସିଲଭର୍ କ୍ଲୋରାଇଡ୍କୁ କାହିଁକି କଳା ବୋତଲରେ ରଖାଯାଏ, ସମୀକରଣ
ସହ ବୁଝାଅ ।
୩. ସିଲଭର୍ କ୍ଲୋରାଇଡ୍ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଏହା ବିଘଟିତ ହୋଇ ସିଲଭର ଓ କ୍ଲୋରିନ୍ରେ ପରିଣତ ହୁଏ । ଏହି ବିଘଟନ ପ୍ରତିକ୍ରିୟାକୁ ବନ୍ଦ କରିବା ପାଇଁ ଏହାକୁ କଳା ବୋତଲ ମଧ୍ୟରେ ରଖାଯାଏ ।
2AgCl ----- ସୂର୍ଯ୍ୟାଲୋକ ------> 2Ag(s) + Cl2
୪. କପର ସଲ୍ଫେଟ ଦ୍ରବଣରେ ଏକ ଲୁହାକଣ୍ଟା ବୁଡ଼ାଇଲେ ଦ୍ରବଣର ନୀଳ
ବର୍ଣ୍ଣ କାହିଁକି ପରିବର୍ତ୍ତନ ହୋଇଥାଏ?
୪. ଲୁହା, ତମ୍ବା ଅପେକ୍ଷା ଅଧିକ ପ୍ରତିକ୍ରିୟାଶୀଳ ହୋଇଥିବାରୁ ଏହା କପର ସଲଫେଟ୍ ଦ୍ରବଣରୁ କପରକୁ ବିସ୍ଥାପିତ କରି ଆଇରନ୍ ସଲ୍ଫେଟ୍ ଦ୍ରବଣ ପ୍ରସ୍ତୁତ କରେ । ଫଳରେ କପର ସଲଫେଟ ଦ୍ରବଣର ବର୍ଣ୍ଣ ପରିବର୍ତ୍ତିତ ହୋଇଥାଏ ଏବଂ ଲୁହାକଣ୍ଟାଟି ସାମାନ୍ୟ ବାଦାମୀ ରଙ୍ଗ ଧାରଣ କରେ ।
Fe(s)+CuSO4(aq)-------> FeSO4(aq)+Cu(s)
୫. ଦନ୍ତକ୍ଷୟର କାରଣ କ’ଣ? ଏହାର କିପରି ପ୍ରତିକାର କରାଯାଇପାରିବ?
୫. ଖାଇସାରିବା ପରେ ପାଟିରେ ଲାଗି ରହିଯାଇଥିବା ମିଠା ଜିନିଷ ଓ ଖାଦ୍ୟ କଣିକାକୁ ପାଟିର ବୀଜାଣୁ ନିମ୍ନୀକରଣ କରି ଅମ୍ଳରେ ପରିଣତ କରେ । ଫଳରେ ପାଟି ଭିତରେ pH 5.5ରୁ କମ୍ ହୋଇଯାଏ ଏବଂ କ୍ୟାଲ୍ସିୟମ୍ ଫସ୍ଫେଟ୍ରେ ଗଠିତ ଦାନ୍ତର କ୍ଷୟ ଘଟେ ।
ଏହାର ପ୍ରତିକାର ପାଇଁ ଖାଇସାରିବା ପରେ ପାଟିକୁ ଭଲ ଭାବରେ ଧୋଇବା ସହିତ କ୍ଷାରୀୟ ଟୁଥପେଷ୍ଟରେ ଦାନ୍ତ ଘଷିବା ଉଚିତ୍ ।
୩ ମାର୍କ ସମ୍ବଳିତ ପ୍ରଶ୍ନୋତ୍ତର
୧. ରାସାୟନିକ ପ୍ରତିକ୍ରିୟାକୁ ଚିହ୍ନିବା ପାଇଁ ଯେକୌଣସି ତିନୋଟି
ବୈଶିଷ୍ଟ୍ୟ ଉଦାହରଣ ସହ ବୁଝାଅ ।
୧. (କ) ଅବସ୍ଥାର ପରିବର୍ତ୍ତନ : ମହମବତୀ ବାୟୁରେ ଜଳିବା ବେଳେ ତାହା ଜଳୀୟବାଷ୍ପ ଏବଂ କାର୍ବନ ଡାଇଅକ୍ସାଇଡ୍କୁ ପରିବର୍ତ୍ତୀତ ହୋଇଥାଏ । ଏଠାରେ ମହମବତୀ କଠିନ ହୋଇଥିବା ବେଳେ ଉତ୍ପାଦ ଦୁଇଟି ତରଳ ଓ ଗ୍ୟାସୀୟ ଅଟନ୍ତି ।
(ଖ) ଗ୍ୟାସ୍ ନିର୍ଗମନ : ଲଘୁ ଲବଣାମ୍ଳ ସହ ଜିଙ୍କ୍ର ପ୍ରତିକ୍ରିୟା ଘଟିଲେ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ ହୁଏ ।
Zn + 2HCl -------> ZnCl2 + H2
(ଗ) ତାପମାତ୍ରାର ପରିବର୍ତ୍ତନ : କଲିଚୂନ ଓ ଜଳର ରାସାୟନିକ ପ୍ରତିକ୍ରିୟା ଫଳରେ ଶମିତ ଚୂନ ଉତ୍ପନ୍ନ ହେବା ସହ ତାପ ଉତ୍ପନ୍ନ ହୋଇଥାଏ ।
CaO + H2O ---------> Ca(OH)2 + ତାପ
୨. ଅମ୍ଳ ଓ କ୍ଷାରକର ଲଘୁକରଣ କାହାକୁ କହନ୍ତି? ଲଘୁକରଣ
ସମୟରେ କିପରି ଦୁର୍ଘଟଣାର ସମ୍ଭାବନା ଥାଏ ବୁଝାଅ ।
୨. ଜଳରେ ଅମ୍ଳ ବା କ୍ଷାରକ ମିଶାଇବା ଦ୍ୱାରା ଏକକ ଆୟତନ ପ୍ରତି H3O+/OH –ଆୟନଗୁଡ଼ିକର ଗାଢ଼ତା କମିଥାଏ । ଏହିପରି ପ୍ରକ୍ରିୟାକୁ ଲଘୁକରଣ କୁହାଯାଏ ।
ଯଦି ଗାଢ଼ ଅମ୍ଳ ବା କ୍ଷାରକରେ ଜଳ ମିଶାଯାଏ ମିଶ୍ରଣଟିରେ ପ୍ରଚୁର ତାପ ଉତ୍ପନ୍ନ ହେବା ଯୋଗୁଁ ମିଶ୍ରଣ ଏଣେତେଣେ ଛିଟିକି ପଡ଼ିବ ଏବଂ ବେଳେବେଳେ ଅମ୍ଳ ବା କ୍ଷାରକ ଥିବା କାଚପାତ୍ରଟି ଭାଙ୍ଗିଯାଇ ଦୁର୍ଘଟଣା ଘଟିବ ।
ତେଣୁ ଅମ୍ଳ ବା କ୍ଷାରକର ଲଘୁକରଣ ପାଇଁ ଆବଶ୍ୟକ ପରିମାଣର ଜଳ ନେଇ ତାହାକୁ ଅନବରତ ଘାଣ୍ଟୁଥିବା ଅବସ୍ଥାରେ ଧିରେ ଧିରେ ଅମ୍ଳ ବା କ୍ଷାରକକୁ ସେଥିରେ ମିଶାଯାଇଥାଏ ।
୩. ଏକ ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ଗ୍ୟାସ୍ଟି CO2, O2
କିମ୍ବା H2
ମଧ୍ୟରୁ କେଉଁଟି ଅଟେ, ଆମ୍ଭେ କିପରି ଜାଣିପାରିବ?
୩.(କ) ରାସାୟନିକ ପ୍ରତିକ୍ରିୟାରୁ ଉତ୍ପନ୍ନ ଗ୍ୟାସ୍କୁ ପ୍ରଥମେ ସ୍ୱଚ୍ଛ ଚୂନପାଣି ମଧ୍ୟରେ ପ୍ରବେଶ କରାଯାଉ । ଯଦି ଉତ୍ପନ୍ନ ଗ୍ୟାସ୍ଟି CO2 ହୋଇଥାଏ ତେବେ ତାହା ସ୍ୱଚ୍ଛ ଚୂନପାଣିକୁ ଦୁଧିଆ ବର୍ଣ୍ଣ କରିଦେବ।
Ca(OH)2(aq) (ଚୂନପାଣି)+CO2(g) ----->CaCO3(s) (ଧଳାବର୍ଣ୍ଣର ଅଦ୍ରବଣୀୟ ପଦାର୍ଥ) +H2O (l)
(ଖ) ଯଦି ଉତ୍ପନ୍ନ ଗ୍ୟାସ୍ଟି ସ୍ୱଚ୍ଛ ଚୂନପାଣିକୁ ଦୁଧିଆ ବର୍ଣ୍ଣ କରି ନ ପାରିଲା ତେବେ ଉତ୍ପନ୍ନ ଗ୍ୟାସ୍ ପାଖକୁ ଏକ ଜଳନ୍ତା ମହମବତୀ ଆଣିଲେ ଯଦି ତାହା ଅଧିକ ଜୋର୍ରେ ଜଳି ଉଠେ ତେବେ ଉତ୍ପନ୍ନ ଗ୍ୟାସ୍ଟି ଅମ୍ଳଜାନ ଅଟେ ।
(ଗ) ଯଦି ଉତ୍ପନ୍ନ ଗ୍ୟାସ୍ଟି ଜଳନ୍ତା ମହମବତୀକୁ ଅଧିକ ପ୍ରଜ୍ୱଳିତ ନ କରି ଏକ ପପ୍ ଶବ୍ଦ ସହ ଜଳିଉଠେ ତେବେ ଉତ୍ପନ୍ନ ଗ୍ୟାସ୍ଟି ହାଇଡ୍ରୋଜେନ୍ ଗ୍ୟାସ୍ ଅଟେ ।
୪ ମାର୍କ ସମ୍ବଳିତ ପ୍ରଶ୍ନୋତ୍ତର
୧. ତାପ ଉତ୍ପାଦୀ ଓ ତାପଶୋଷୀ ରାସାୟନିକ ପ୍ରତିକ୍ରିୟା କାହାକୁ କହନ୍ତି? ପ୍ରତ୍ୟେକରୁ
୨ଟି ଲେଖାଏ ଉଦାହରଣ ଦିଅ ।
୧. ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା : ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେସଙ୍ଗେ ତାପ ନିର୍ଗତ ହୋଇଥାଏ, ତାହାକୁ ତାପ ଉତ୍ପାଦୀ ବା ତାପ ଉତ୍ପାଦକ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ-୧ : ପ୍ରାକୃତିକ ଗ୍ୟାସ୍ ବାୟୁର ଉପସ୍ଥିତିରେ ଜଳି ଅଙ୍ଗାରକାମ୍ଳ ଗ୍ୟାସ୍, ଜଳ ଓ ପ୍ରଚୁର ତାପ ଉତ୍ପନ୍ନ ହୁଏ ।
CH4(g) +2O2(g) ----->CO2(g) + 2H2O (g)+ ତାପ
ଉଦାହରଣ-୨ : କ୍ୟାଲସିୟମ୍ ଅକ୍ସାଇଡ୍ର ଜଳ ସହ ତୀବ୍ର ପ୍ରତିକ୍ରିୟା ଘଟି ପ୍ରଚୁର ପରିମାଣର ତାପ ନିର୍ଗତ ହେବା ସଙ୍ଗେସଙ୍ଗେ ଶମିତ ଚୂନ ଉତ୍ପନ୍ନ ହୁଏ ।
CaO(s) +H2O(l) ---------->Ca(OH)2(aq) + ତାପ
ତାପ ଶୋଷୀ ରାସାୟନିକ ପ୍ରତିକ୍ରିୟା : ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପ ଶୋଷିତ ହୋଇଥାଏ, ଅର୍ଥାତ୍ ରାସାୟନିକ ପ୍ରତିକ୍ରିୟାକୁ ଚାଲୁରଖିବା ପାଇଁ ତାପ ଆବଶ୍ୟକ ହୋଇଥାଏ ତାହାକୁ ତାପଶୋଷୀ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ-୧ : କ୍ୟାଲ୍ସିୟମ୍ କାର୍ବୋନେଟ୍କୁ ଉତ୍ତପ୍ତ କଲେ ତାହା ବିଘଟିତ ହୋଇ କ୍ୟାଲ୍ସିୟମ୍ ଅକ୍ସାଇଡ୍ ଓ କାର୍ବନ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏ ।
CaCO3(s) (ଚୂନପଥର) --- ତାପ ---> CaO(s) (କଲିଚୂନ) + CO2 (g)
ଉଦାହରଣ-୨ : ଲେଡ୍ ନାଇଟ୍ରେଟ୍କୁ ଉତ୍ତପ୍ତ କଲେ ତାହା ବିଘଟିତ ହୋଇ ଲେଡ୍ ଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଓ ଅମ୍ଳଜାନ ଗ୍ୟାସ ଉତ୍ପନ୍ନ ହୁଏ ।
2Pb(NO3)2 (s) --- ତାପ --->2PbO(s) + 4NO2(g)+O2(g)
୨. ଅମ୍ଳ ଓ କ୍ଷାରକ କାହାକୁ କୁହାଯାଏ? ସବଳ
ଅମ୍ଳ ଓ ଦୁର୍ବଳ ଅମ୍ଳ ଏବଂ ସବଳ କ୍ଷାରକ ଓ ଦୁର୍ବଳ କ୍ଷାରକ କାହାକୁ କୁହାଯାଏ? ଉଦାହରଣ
ସହ ଲେଖ ।
୨. ଅମ୍ଳ : ଯେଉଁ ରାସାୟନିକ ଯୌଗିକ ଜଳରେ ଦ୍ରବୀଭୂତ ହୋଇ ଯୁକ୍ତାତ୍ମକ ଆୟନ ରୂପେ କେବଳ H3O+ (ହାଇଡ୍ରୋନିୟମ୍) ଆୟନ ସୃଷ୍ଟି କରେ ତାହାକୁ ଅମ୍ଳ କୁହାଯାଏ ।
ସବଳ ଅମ୍ଳ : ଯେଉଁ ଅମ୍ଳ ଜଳରେ ସମ୍ପୂର୍ଣ୍ଣ ରୂପେ ବିଯୋଜିତ ହୋଇ ଅଧିକ ପରିମାଣର H3O+ ଆୟନ ସୃଷ୍ଟି କରେ ତାହାକୁ ସବଳ ଅମ୍ଳ କୁହାଯାଏ ।
ଯଥା - HCl, H2SO4, HNO3 ଇତ୍ୟାଦି।
ଦୁର୍ବଳ ଅମ୍ଳ : ଯେଉଁ ଅମ୍ଳ ଜଳରେ ଆଂଶିକ ରୂପେ ବିଯୋଜିତ ହୋଇ କମ୍ ପରିମାଣର H3O+ ଆୟନ ସୃଷ୍ଟି କରେ ତାହାକୁ ଦୁର୍ବଳ ଅମ୍ଳ କୁହାଯାଏ ।
ଯଥା - H2CO3 (କାର୍ବୋନିକ୍ ଅମ୍ଳ) , HCOOH (ଫର୍ମିକ୍ ଅମ୍ଳ) , CH3COOH (ଏସିଟିକ୍ ଅମ୍ଳ) ଇତ୍ୟାଦି ।
କ୍ଷାରକ : ଯେଉଁ ରାସାୟନିକ ଯୌଗିକ ଜଳରେ ଦ୍ରବୀଭୂତ ହୋଇ ବିଯୁକ୍ତାତ୍ମକ ଆୟନ ରୂପେ କେବଳ ହାଇଡ୍ରକ୍ସାଇଡ୍ (OH–) ଆୟନ ସୃଷ୍ଟି କରେ ତାହାକୁ କ୍ଷାରକ କୁହାଯାଏ ।
ସବଳ କ୍ଷାରକ : ଯେଉଁ କ୍ଷାରକ ଜଳରେ ସମ୍ପୂର୍ଣ୍ଣ ରୂପେ ବିଯୋଜିତ ହୋଇ ଅଧିକ ପରିମାଣର OH– ଆୟନ ସୃଷ୍ଟି କରେ ତାହାକୁ ସବଳ କ୍ଷାରକ କୁହାଯାଏ ।
ଯଥା - KOH, NaOH, Ba(OH)2 ଇତ୍ୟାଦି ।
ଦୁର୍ବଳ କ୍ଷାରକ : ଯେଉଁ କ୍ଷାରକ ଜଳରେ ଆଂଶିକ ବିଯୋଜିତ ହୋଇ କମ୍ ପରିମାଣର OH– ଆୟନ ଦେଇଥାଏ ତାହାକୁ ଦୁର୍ବଳ କ୍ଷାରକ କୁହାଯାଏ ।
ଯଥା - Mg(OH)2, Cu(OH)2, NH4OH ଇତ୍ୟାଦି ।
Comments
Post a Comment